ମେ ପ୍ରଥମ ସପ୍ତାହ ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୮୫% ହ୍ରାସ ପାଇଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି କରୋନା ସଂକ୍ରମଣ । ଗତ ମେ ୭ରେ ଦେଶରେ ଦୈନିକ ସଂକ୍ରମଣ ଶିଖର ଛୁଇଁଥିଲା । ସେହିଦିନଠାରୁ ଏପର୍ୟ୍ୟନ୍ତ ଦୈନିକ ସଂକ୍ରମଣ ପ୍ରାୟ ୮୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୭୮.୬ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ମେ ପ୍ରଥମ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ମାତ୍ର ୧୪୭ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଛି । ସେହିପରି ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ମେ ୩ରେ ଦେଶର ଆରୋଗ୍ୟ ହାର ୮୧.୮ ପ୍ରତିଶତ ଥିବାବେଳେ ଏବେ ତାହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ମେ ପ୍ରଥମ ସପ୍ତାହରେ ଦୈନିକ ପଜିଟିଭିଟି ହାର ୨୧ ପ୍ରତିଶତ ଟପିଯାଇଥିବାବେଳେ ଏବେ ତାହା ୪ ପ୍ରତିଶତକୁ ଖସିଆସିଛି ।
ଦେଶରେ ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ଏଣୁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ ଓ କଟକଣାକୁ ମାନିବାକୁ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର