ଡ୍ୟାମ୍‌ ଭୁଶୁଡ଼ି ୮ ମୃତ, ୧୫ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏକ ଡ୍ୟାମ୍‌ ଭୁଶୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ଜଣ ନିଖୋଜ ଅଛନ୍ତି। ଗତରାତି ୯.୩୦ ସମୟରେ ରତ୍ନଗିରି ଜିଲ୍ଲାର ଉପକୂଳବର୍ତ୍ତୀ କୋନକାନ୍‌ ଅଞ୍ଚଳ ସ୍ଥିତ ‘ତିୱାରେ’ ଡ୍ୟାମ୍‌ର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁଁ ୭ଟି ତଳିଆ ଗ୍ରାମ ବୁଡ଼ି ଯିବା ସହ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ଡ୍ୟାମ୍‌ ନିକଟରେ ଥିବା ପ୍ରାୟ ୨୦ଟି ଘର ନିଶ୍ଚିହ୍ନ ହୋଇଯାଇଛି। ସୂଚନାନୁଯାୟୀ ୧୯ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଡ୍ୟାମ୍‌ରେ ଏକ ଫାଟ ଥିଲା। ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଏନେଇ ଅବଗତ କରାଯାଇଥିଲା। କିନ୍ତୁ ‌ମରାମତି କାର୍ଯ୍ୟ ହୋଇନଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ମୁମ୍ବାଇଠାରୁ ୨୭୫ କିମି ଦୂରରେ ଅବସ୍ଥିତ ଏହି ଡ୍ୟାମ୍‌ରେ ଏବେ ଏନ୍‌ଡିଆରଏଫ୍‌ ଦଳ ମୁତୟନ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡ୍ରୋନ୍‌ ବ୍ୟବହାର କରି ୮ ଜଣଙ୍କ ମୃତଦେହ ଚିହ୍ନଟ କରାଯା‌ଇଛି। ଆହୁରି ୧୫ ଜଣ ନି‌ଖୋଜ ଅଛନ୍ତି ବୋଲି ଏନ୍‌ଡିଆରଏଫ୍‌ ମୁଖପାତ୍ର ଆଲୋକ ଅବସ୍ତି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ କାରଣ ପାଇଁ ଡ୍ୟାମ୍‌ ଭାଙ୍ଗିଲା ସେନେଇ ତଦନ୍ତ ହେବ ଏବଂ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହ‌ାଯାଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୨ ଦିନ ହେବ ମହାରାଷ୍ଟ୍ର‌ରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମୁମ୍ବାଇ ସ୍ଥିତି ସାଂଘାତିକ ରହିଛି। ମୁମ୍ବାଇ ଗତକାଲି ମାତ୍ର ୧୨ ଘଣ୍ଟା‌ ମଧ୍ୟରେ ୩୦୦ ମିମିରୁ ଅଧିକ ବର୍ଷା ସମସ୍ୟା ବଢ଼ାଇ ଦେଇଛି। ଥାନେ, ପଲଘର, ରାୟଗଡ଼, ନାଶିକ, ରତ୍ନଗିରି, ସିନ୍ଧୁଦୁର୍ଗ ଏବଂ ରାଜ୍ୟର ପଶ୍ଚିମ ଅଂଶରେ ପ୍ରବଳ ବର୍ଷା ହୋଇଥିଲା। ଗତକାଲି ମୁମ୍ବାଇ ବର୍ଷାରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତେବେ ଜୁଲାଇ ୪ ଏବଂ ୫ ତାରିଖରେ ଥାନେ ଏବଂ ପଲଘରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ସମ୍ବନ୍ଧିତ ଖବର