କୋଭିଡ୍‌-୧୯ ଯୋଗୁଁ ବିଳମ୍ବ ହୋଇଥିବା ଚନ୍ଦ୍ରଯାନ-୩ ଅଭିଯାନ ୨୦୨୨ ତୃତୀୟ ଭାଗରେ ଆରମ୍ଭ କରିବ ‘ଇସ୍ରୋ’

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁଁ ବିଳମ୍ବ ହୋଇଥିବା ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ବା ‘ଇସ୍ରୋ’ର ବହୁ-ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ ୨୦୨୨ ମସିହାର ତୃତୀୟ ଭାଗରେ ଆରମ୍ଭ ହେବାର ସମ୍ଭାବନା ଅଛି। ସ୍ବାଧୀନ ଦାୟିତ୍ବରେ ଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୩ର କାର୍ଯ୍ୟରେ ଅଗ୍ରଗତି ହେଉଛି।

ଲୋକସଭାରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଲେ, ଚନ୍ଦ୍ରଯାନ-୩ ଲାଗି ‘ଫାଇନାଲାଇଜେସନ୍ ଅଫ୍‌ କନ୍‌ଫ୍ୟୁଗୁରେସନ୍’, ‘ସବ୍‌ସିଷ୍ଟମସ୍‌ ରିଆଲାଇଜେସନ୍‌’, ‘ଇଣ୍ଟିଗ୍ରେସନ୍‌’, ‘ସ୍ପେସ୍‌କ୍ରାଫ୍ଟ୍‌ ଲେବଲ୍’ର ସବିଶେଷ ପରୀକ୍ଷା ଆଦି ପାଇଁ କେତେଗୁଡ଼ିଏ ପ୍ରକ୍ରିୟା ଏବଂ ସମଗ୍ର ବ୍ୟବସ୍ଥା ଭୂପୃଷ୍ଠରେ କିଭଳି କାର୍ଯ୍ୟ କରୁଛି ସେସବୁର ମୂଲ୍ୟାୟନ ପାଇଁ କେତେଗୁଡ଼ିଏ ସ୍ବତନ୍ତ୍ର ପରୀକ୍ଷା ରହିଛି।

Image Courtesy of The Times of India

ମହାକାଶ ବିଭାଗ ମଧ୍ୟ ବିବୃତି ଦେଇ କହିଛି, କରୋନାଭାଇରସ୍ ମହାମାରୀ ଓ ସେ ଜନିତ ଲକ୍‌ଡାଉନ୍‌ ଯୋଗୁଁ ଚନ୍ଦ୍ରଯାନ-୨ର ଉତ୍ତରାଧିକାରୀ ଚନ୍ଦ୍ରଯାନ-୩ ପ୍ରଭାବିତ ହୋଇଛି। କିନ୍ତୁ, ଲକ୍‌ଡାଉନ୍‌ ସମୟରେ ଯାହା କିଛି କାମ ଘରେ ଥାଇ କରିହେବା ସମ୍ଭବପର ହୋଇଛି, ତାହା କରାଯାଇଛି।

ଏବର୍ଷ ଅର୍ଥାତ୍ ୨୦୨୧ରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହେବ ବୋଲି ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର