ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ସ୍ଥଗିତ; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ହେବ ନାହିଁ

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ  ୪ ଦୋଷୀଙ୍କ ନାମରେ ଜାରି ଡେଥ୍ ୱାରେଣ୍ଟ  ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି।  ଫେବ୍ରୁଆରି ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି।

ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ ଗତକାଲି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରିଥିଲେ। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଥିଲେ। ଆଜି ପଟିଆଲା ହାଉସ୍‌ କୋର୍ଟରେ ସେ ଯୁକ୍ତି ବାଢ଼ିଥିଲେ କି ଏହି ଅପରାଧ ମାମଲାରେ ସମସ୍ତ ବିକଳ୍ପ ଶେଷ ହୋଇ ନଥିବାରୁ ଦୋଷୀମାନଙ୍କୁ ସେମାନଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସୁଯୋଗ ମିଳିବା ଜରୁରୀ। ଉଲ୍ଲେଖଯୋଗ୍ୟ, ଏବେ ବିନୟ କୁମାର ଶର୍ମାଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧିନ ରହିଛି। ତେବେ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି।

ତେବେ, ତିହାର ଜେଲ କର୍ତ୍ତୃପକ୍ଷ ଆଜି ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଅଦାଲତଙ୍କୁ କହିଥିଲେ ଯେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ମାମଲା ବିଚାର ଅପେକ୍ଷାରେ ରହିଛି ସତ, କିନ୍ତୁ ଅନ୍ୟ ତିନି ଦୋଷୀଙ୍କର ସବୁ ମାମଲାର ବିଚାର ବିଭିନ୍ନ ଅଦାଲତରେ ବିଭିନ୍ନ ପର୍ଯ୍ୟାୟରେ ଶେଷ ହୋଇ ସାରିଛି। ଏହି ତିନି ଦୋଷୀଙ୍କ ନିକଟରେ ଏବେ ଆଉ ଅନ୍ୟ କୌଣସି ପ୍ରକାର ବିକଳ୍ପ ନାହିଁ। ତେଣୁ, ବିଚାର ସରିଥିବା ଏହି ତିନି ଦୋଷୀଙ୍କର ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି ହିଁ କାର୍ଯ୍ୟକାରୀ କରିବାକୁ ଅଦାଲତଙ୍କୁ ଅନୁମତି ମାଗିଥିଲେ ତିହାର ଜେଲ କର୍ତ୍ତୃପକ୍ଷ। ତେବେ ଏହାକୁ ଗ୍ରହଣ କରି ନ ଥିଲେ ଅଦାଲତ।

ଏହି ୪ ଦୋଷୀଙ୍କୁ ପୂର୍ବରୁ ୨୨ ଜାନୁଆରିରେ ଫାଶୀ ଦେବାପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଥିଲା। କିନ୍ତୁ ଦୋଷୀ ମୁକେଶ ସିଂହ ରାଜକ୍ଷମା ଆବେଦନ ଦାଖଲ କରିବାରୁ ଫାଶୀ କାର୍ଯ୍ୟକାରୀ କରିବା ଉପରେ ଅଦାଲତ ରହିତାଦେଶ ଦେଇ  ଫେବ୍ରୁଆରି ୧ ତାରିଖରେ ଫାଶୀ ଲାଗି ସାନି ଡେଥ୍ ୱାରେଣ୍ଟ ଜାରି କରିଥିଲେ।

ସମ୍ବନ୍ଧିତ ଖବର