ସିସିଟିଭି କ୍ୟାମେରା ଲଗାଇବାରେ ଦିଲ୍ଲୀ ବିଶ୍ବରେ ଏକ ନମ୍ବର

ନୂଆଦିଲ୍ଲୀ: ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ବର ଏକ ନମ୍ବର ନଗରୀ ହିସାବରେ ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇଛି। ବିଶ୍ବର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି ଯେ, ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ବର୍ଗମାଇଲ ପିଛା ୧,୮୨୬.୬ଟି କ୍ୟାମେରା ଲାଗିଛି। ଦିଲ୍ଲୀ ପରେ ଏହି ତାଲିକାରେ ତିନି ନମ୍ବର ସ୍ଥାନ ଦଖଲ କରିଛି ଚେନ୍ନାଇ, ଯେଉଁଠି ବର୍ଗମାଇଲ ପିଛା ୬୦୯.୯ଟି କ୍ୟାମେରା ଲାଗିଛି। ମୁମ୍ବାଇରେ ବର୍ଗମାଇଲ ପିଛା ୧୫୭.୪ଟି କ୍ୟାମେରା ଲାଗିଥିବା ବେଳେ ଫୋର୍ବସ ତାଲିକାରେ ଏହା ୧୮ତମ ସ୍ଥାନ ଦଖଲ କରିଛି।

ତେବେ ଦିଲ୍ଲୀ ଅନେକ ଚୀନ ସହରକୁ ବି ଏହି ମାମଲାରେ ଟପିଯାଇଛି, ଯଥା ସେଞ୍ଝେନ (୫୨୦.୧), ଉକ୍ସି (୪୭୨.୭), କିଙ୍ଗଡାଓ (୪୧୫.୮) ଓ ସାଙ୍ଘାଇ (୪୦୮.୫)। ଲଣ୍ଡନ (୧,୧୩୮.୫), ସିଙ୍ଗାପୁର (୩୮୭.୬), ନ୍ୟୁୟର୍କ (୧୯୩.୭) ଓ ମସ୍କୋ (୨୧୦) ପ୍ରଭୃତି ପୃଥିବୀର ବଡ଼ ବଡ଼ ନଗରୀକୁ ବି ଦିଲ୍ଲୀ ଟପିଯାଇଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରି ସିସିଟିଭି କ୍ୟାମେରା ଲଗାଇବାରେ ଦିଲ୍ଲୀ ସାଙ୍ଘାଇ, ନ୍ୟୁୟର୍କ ଓ ଲଣ୍ଡନ ପରି ନଗରୀକୁ ଟପିଯାଇଥିବାରୁ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଛନ୍ତି। କ୍ୟାମେରା ଲଗାଇବା ମିସନରେ କାର୍ଯ୍ୟ କରୁଥିବା ଅଫିସର ଓ ଇଂଜିନିୟରମାନଙ୍କୁ ବି ସେ କମ୍ ସମୟ ଭିତରେ ଏହି ସଫଳତା ପାଇଁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର