ଭାରତକୁ ବଦନାମ କରିବା ଦିଶା ରବିଙ୍କର ଯୋଜନା ଥିଲା: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିନ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହୋଇଥିଲା। ବିଚାରପତି ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଦିଶା ରବିଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଦିଲ୍ଲୀ ପୁଲିସ କୋର୍ଟଙ୍କୁ କହିଛି ଯେ ଏହା କେବଳ ଏକ ଟୁଲକିଟ ନଥିଲା । ପ୍ରକୃତ ଯୋଜନା ଥିଲା ଭାରତକୁ ଅସମ୍ମାନ କରିବା ଏବଂ ଏଠାରେ ଅଶାନ୍ତି ସୃଷ୍ଟି କରିବା। ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦିଶା ଜାଣିଥିବାରୁ ହ୍ଵାଟ୍ସଆପ ବାର୍ତ୍ତାଳାପକୁ ଡିଲିଟ କରିଦେଇଥିଲେ । ଏହା ଦର୍ଶାଉଛି ଯେ ଟୁଲକିଟ ପଛରେ କିଛି ଯୋଜନା ଥିଲା |

ତେବେ ଏହାକୁ ନେଇ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟରେ କହିଥିଲେ ଯେ ଖଲିସ୍ତାନ ସହିତ ଦିଶା ରବିଙ୍କର କୌଣସି ସମ୍ପର୍କ ନାହିଁ। ଶିଖ୍ ଫର ଜଷ୍ଟିସ୍ କିମ୍ବା ପୋଏଟିକ ଜଷ୍ଟିସ୍ ଫାଉଣ୍ଡେସନ୍ (ପିଜେଏଫ୍) ସହିତ ଦିଶାଙ୍କର କୌଣସି ସମ୍ପର୍କ ନଥିଲା | ଏହି ମାମଲାରେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଯଦି ଜଣେ ବିରୋଧ କରିବ ତେବେ ଦେଶଦ୍ରୋହ ମାମଲା ରୁଜୁ ହେବ। ତେବେ ଦିଶା ରବିଙ୍କ ଜାମିନ ଆବେଦନ ଉପରେ ପଟିଆଲା ହାଉସ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ହେବ।

ସୂଚନା ଥାଉ କି ଚାଷୀ ଆନ୍ଦୋଳନ ମାମଲାରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବାପାଇଁ ପ୍ରସ୍ତୁତ ହୋଇଥିବା ଟୁଲ୍‌କିଟ୍‌ ଦସ୍ତାବିଜ ସ୍ବିଡେନ୍‌ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ‌ଙ୍କ ଦ୍ବାରା ପ୍ରଥମେ ଟ୍ବିଟ୍‌ କରାଯାଇଥିଲା। କିନ୍ତୁ ପରେ ଏହାକୁ ଡିଲିଟ୍‌ କରାଯାଇଥିଲା। ଏହି ଟୁଲକିଟ୍‌ ଦସ୍ତାବିଜକୁ ଜଳବାୟୁ କର୍ମୀ ଦିଶା ରବି ଏବଂ ଅନ୍ୟ ୨ଜଣ କର୍ମୀ ନିକିତା ଜାକବ୍‌ ଏବଂ ଶାନ୍ତନୁ ମୁଲୁକ୍‌ ପ୍ରସ୍ତୁତ କରିଥିଲେ। ଆଉ ‘ଟୁଲ୍‌କିଟ୍‌’ ଅପ୍‌ଲୋଡ କରିବା ମାମଲାରେ ଦିଲ୍ଲୀ ପୁଲିସ ଦିଶା ରବିଙ୍କୁ ଗିରଫ କରିଥିଲା |

ସମ୍ବନ୍ଧିତ ଖବର