ଦୀପ ସିଦ୍ଧୁଙ୍କୁ ନେଇ ପଞ୍ଜାବରେ ଦିଲ୍ଲୀ ପୁଲିସର ତନାଘନା

ନୂଆଦିଲ୍ଲୀ: ୨୬ ଜାନୁଆରୀରେ ଦିଲ୍ଲୀର ଲାଲକିଲ୍ଲାରେ ବିକ୍ଷୋଭକାରୀଙ୍କ ନେତୃତ୍ୱ ନେଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ଗତ ୪ ଦିନ ଧରି ଦିଲ୍ଲୀ ପୁଲିସର ଚାରିଟି ଦଳ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଦୀପଙ୍କୁ ଧରିବାକୁ ତନାଘନା ଚଳାଇଛନ୍ତି | ଦିଲ୍ଲୀ ପୁଲିସ କହିଛି ଯେ ଦୀପ ମୋବାଇଲ ଫୋନ ବନ୍ଦ କରି ଫେରାର ହୋଇଯାଇଛନ୍ତି | ଅନ୍ୟପକ୍ଷରେ, ଶନିବାର ସନ୍ଧ୍ୟାରେ ଦୀପ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା |

ଦୀପ ଫେସବୁକରେ ଲେଖିଥିଲେ ଯେ ସେ ଏବେ କିଛି ପ୍ରମାଣ ସଂଗ୍ରହ କରୁଛନ୍ତି | ବଳିଷ୍ଠ ପ୍ରମାଣ ମିଳିଗଲେ ସେ ଦିଲ୍ଲୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ। କୁହାଯାଉଛି ଯେ ଲାଲକିଲ୍ଲାରେ ଉପଦ୍ରବ ପରେ ଦୀପ ସନ୍ଧ୍ୟାରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସେବେଠାରୁ ତାଙ୍କ ମୋବାଇଲ୍ ବନ୍ଦ ହୋଇଯାଉଛି, କିନ୍ତୁ ସେ ଫେସବୁକ୍ ପେଜରେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି। ତେବେ ଦୀପଙ୍କୁ କିଛି କୃଷକ ନେତା ବିରୋଧ କରିବା ପରେ ସେ କୃଷକ ନେତାମାନଙ୍କୁ ମଧ୍ୟ ଧମକ ଦେଇଥିଲେ। ଧମକରେ ସେ କହିଥିଲେ ଯେ ଯଦି ସେ କୃଷକ ନେତାମାନଙ୍କ ଗୁମର ଖୋଲିଦେବେ, ତେବେ କୃଷକ ନେତାଙ୍କୁ ପଳାୟନ ପାଇଁ ଜାଗା ମିଳିବ ନାହିଁ |

ଦୀପ କହିଥିଲେ ଯେ ସେ ଜାତୀୟ ପତାକାକୁ କୌଣସି କ୍ଷତି କରିନାହାଁନ୍ତି, ବରଂ ତାଙ୍କ ପତାକା ଉତ୍ତୋଳନ କରି ସରକାରଙ୍କୁ ଶକ୍ତି ଦେଖାଇଥିଲେ । ସୂଚନା ଥାଉ କି ଜାନୁୟାରୀ ୨୬ରେ ବିକ୍ଷୋଭକାରୀମାନେ ଦିଲ୍ଲୀରେ କେବଳ ବିଭିନ୍ନ ସ୍ଥାନରେ ହିଂସା କରିନଥିଲେ ବରଂ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ | ଏତିକିରେ ଥମିନଥିଲା ବିକ୍ଷୋଭକାରୀଙ୍କ ନିନ୍ଦନୀୟ କାର୍ଯ୍ୟ | ଲାଲକିଲ୍ଲାରେ ବହୁ ସଂଖ୍ୟାରେ କୃଷକଙ୍କୁ ଉସୁକାଇ ପତାକା ମଧ୍ୟ ଉଡାଇଥିଲେ | ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଥିଲେ, ଯିଏ କୃଷକଙ୍କ ଟ୍ରାକ୍ଟର ରାଲିରେ ଚାଷୀଙ୍କୁ ଉତ୍ତେଜିତ କରି ଲାଲକିଲ୍ଲାକୁ ନେଇଥିଲେ।

ସମ୍ବନ୍ଧିତ ଖବର