ଦିଲ୍ଲୀରେ ଝଡ଼ତୋଫାନ: ଜଣେ ମୃତ , ୨୦ ଆହତ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଛି। ପ୍ରବଳ ବର୍ଷା ପବନ ହେତୁ ବହୁ ଘର ଦ୍ୱାର ଭୁଶୁଡ଼ି ପଡ଼ିଛି। ଉତ୍ତରପୂର୍ବ ଦିଲ୍ଲୀର ଗୋକଲ ପୁରୀ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଝଡ଼ ତୋଫାନ କାରଣରୁ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନରୁ ଜଣାଯାଇଛି ଯେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଉତ୍ତର ଏବଂ ଉତ୍ତରପଶ୍ଚିମ ଅଞ୍ଚଳରେ ଅଧିକରୁ ଅଧିକ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ସଦ୍ୟ ପଶ୍ଚିମ ଜଳବାୟୁରେ ପରିବର୍ତ୍ତନ ଯୋଗୁ ମୁଖ୍ୟତଃ ପାଣିପାଗ ଉପରେ ଲଗାତାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଉତ୍ତର ଭାରତରେ ପାର୍ବତ୍ୟାଞ୍ଚଳ ତଥା ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ସମତଳ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଏହି କାଳବୈଶାଖୀ ଜନିତ ଝଡ଼ ତୋଫାନ ଦେଖିବାକୁ ମଳିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ଭାରତର ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ପୂର୍ବ ରାଜସ୍ଥାନର କିଛି ଭାଗରେ ଏବଂ ଦକ୍ଷିଣରେ କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ପୁଡ଼ୁଚେରୀର କିଛି ଅଂଶରେ ଏବଂ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବ ରାଜ୍ୟର କିଛି ଅଂଶରେ ଝଡ଼ତୋଫାନ ହୋଇଛି। ଗତ ରବିବାର ଦିନ ୬ଟି ରାଜ୍ୟରେ ଝଡ଼ତୋଫାନ ହୋଇ ୮୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ଉତ୍ତରପ୍ରଦେଶରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର