ଏଣିକି ପୁଲିସ୍‌କୁ ଟ୍ରାଫିକ୍‌ ନିୟମ ଭଙ୍ଗ କଲେ ଦେବାକୁ ପଡ଼ିବ ଦ୍ୱିଗୁଣା ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀର ଟ୍ରାଫିକ୍‌ ପୁଲିସକର୍ମଚାରୀ ଏଣିକି ସଡ଼କ ନିୟମ ଉଲଂଘନ କଲେ ଦ୍ୱିଗୁଣା ଜରିମାନା ଦେବାକୁ ପଡ଼ିବ। ଦିଲ୍ଲୀର ଜଏଣ୍ଟ କମିସନର୍‌ ଅଫ ପୁଲିସ (ଟ୍ରାଫିକ୍‌) ମିନୁ ଚୌଧୁରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଆଡଭାଇଜରିରେ ଉଲ୍ଳେଖ ରହିଛି କି, ସମସ୍ତ ପୁଲିସ କର୍ମଚାରୀଙ୍କୁ ଟ୍ରାଫିକ ନିୟମ କଡ଼ାକଡି ପାଳନ କରିବାକୁ ହେବ। ସେ ପୁଲିସଗାଡି ଚଳାଉ ଥାଆନ୍ତୁ କିମ୍ବା ଘରୋଇ ଗାଡ଼ି।

ଆଡଭାଇଜରିରେ ଆଗକୁ ଲେଖା ହୋଇଛି କି, ଯଦି କୌଣସି ର‍୍ୟାଙ୍କର ପୁଲିସକର୍ମଚାରୀ ଡିୟୁଟି ସମୟରେ ଟ୍ରାଫିକ ନିୟମକୁ ଭାଙ୍ଗନ୍ତି, ତେବେ ତାଙ୍କୁ ଦ୍ୱିଗୁଣା ଜରିମାନା ଦେବାକୁ ପଡ଼ିବ।

 

ସଂଶୋଧିତ ନିୟମ ଅନୁସାରେ, ସେପ୍ଟେମ୍ବର ୧ ତାରିଖଠାରୁ ଟ୍ରାଫିକ୍‌ ନିୟମ ଭଙ୍ଗ କଲେ ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ ରହିଛି। ଏହି ନିୟମ ଅନୁସାରେ, ଆମ୍ବୁଲାନ୍‌ସ, ଦମକଳ ଆଦି ଯାନବାହାନକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି କୌଣସି ଚାଳକ ଅଯୋଗ୍ୟ ଘୋଷିତ ହେବା ପରେ ବି ଗାଡ଼ି ଚଳାଉ ଥାଆନ୍ତି ତେବେ ତାଙ୍କ ଉପରେ ମଧ୍ୟ ୧୦ ହଜାର ଜରିମାନା ଲାଗିବ। ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ଉପରେ ଏଣିକି ଜରିମାନା ୧୦୦ ବଦଳରେ ୫୦୦ ଲାଗିବ। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ସର୍ବନିମ୍ନ ୨ ହଜାର ଟଙ୍କା ଜରିମାନା ଦେବାକୁ ହେବ।

ସେହିପରି ଡ୍ରାଇଭିଂ ଲାଇାସେନ୍‌ସ ନଥିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଇନ୍‌ସୁରାନ୍‌ସ ନଥାଇ ଗାଡ଼ି ଚଲାଉଥିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଦ୍ରୁତଗତିରେ ଗାଡ଼ି ଚଳାଇଲେ ହଜାରରୁ ଦୁଇ ହଜାର ଭିତରେ ଜରିମାନା ଦେବାକୁ ହେବ। ଗାଡ଼ି ଚଲାଇଲା ବେଳେ ସିଟ୍‌ ବେଲ୍‌ଟ ନପିନ୍ଧିଥିଲେ ୧୦୦୦ ଟଙ୍କା ଦେବାକୁ ହେବ। ବିନା ହେଲମେଟରେ ଗାଡ଼ି ଚଳାଇଲେ ଗଣିବାକୁ ପଡ଼ିବ ୧୦୦୦ ଟଙ୍କା। ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର