୧୩୫ ରାଷ୍ଟ୍ରରେ ଡେଲ୍‌ଟା: ବୈଶ୍ବିକ ସଂକ୍ରମଣ ୨୦ କୋଟି ଟପିଲାଣି

୫ ରାଜ୍ୟରେ ୮୦ ପ୍ରତିଶତ ନୂଆ ସଂକ୍ରମଣ ମାମଲା

ନୂଆଦିଲ୍ଲୀ: କରୋନାର କ୍ଷିପ୍ର ସଂକ୍ରାମକ ଡେଲ୍‌ଟା ପ୍ରଜାତି ୧୩୫ ରାଷ୍ଟ୍ରକୁ ବ୍ୟାପିଛି। ସମଗ୍ର ବିଶ୍ବରେ ସଂକ୍ରମଣ ୨୦ କୋଟି ଟପିଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୩ ତାରିଖରେ ଜାରି ହୋଇଥିବା ସାପ୍ତାହିକ ମହାମାରୀ ତଥ୍ୟ ଅନୁଯାୟୀ ୧୩୨ ରାଷ୍ଟ୍ରରେ ବିଟା ପ୍ରଜାତି ଚିହ୍ନଟ ହୋଇଥିବା ବେଳେ ୮୧ ରାଷ୍ଟ୍ରରେ ଗାମା , ୧୮୨ ରାଷ୍ଟ୍ରରେ ଆଲ୍‌ଫା ଏବଂ ୧୩୫ ରାଷ୍ଟ୍ରରେ ଡେଲ୍‌ଟା ପ୍ରଜାତି ଚିହ୍ନଟ ହୋଇଛି। ଡେଲ୍‌ଟା ଯୋଗୁଁ ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି। ମାସେରୁ ଊର୍ଦ୍ଧ୍ବ ସମୟ ଧରି ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଷ୍ଟ୍ରରେ ସ୍ବାସ୍ଥ୍ୟସେବା ସ୍ଥିତି ଉଦ୍‌ବେଗଜନକ ହୋଇଛି। ଗତ ସପ୍ତାହରେ ବିଶ୍ବରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ତେବେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମୃତ୍ୟୁ ୮ ପ୍ରତିଶତ କମିଛି।

ଆମେରିକାରେ ଗତ ସପ୍ତାହରେ ସର୍ବାଧିକ ୫୪୩,୪୨୦ ନୂଆ ମାମଲା ରିପୋର୍ଟ କରାଯାଇଥିବା ବେଳେ ଭାରତରେ ୨୮୩,୯୨୩, ଇଣ୍ଡୋନେସିଆରେ ୨୭୩,୮୯୧, ବ୍ରାଜିଲ୍‌ରେ ୨୪୭,୮୩୦ ଏବଂ ଇରାନ୍‌ରେ ୨୦୬,୭୨୨ ନୂଆ ମାମଲା ଚିହ୍ନଟ ହୋଇଥିଲା। ପୂର୍ବ ସପ୍ତାହ ତୁଳନାରେ ଦକ୍ଷିଣ ପୂର୍ବ ଏସିଆରେ ନୂଆ ମାମଲାରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ବର ମୋଟ୍‌ ନୂଆ ମାମଲାର ୮୦ ପ୍ରତିଶତ ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ୍‌ରୁ ଚିହ୍ନଟ ହୋଇଛି। ଇଣ୍ଡୋନେସିଆରୁ ଗତ ସପ୍ତାହରେ ସର୍ବାଧିକ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୦୧,୧୭୨,୫୨୧ ଏବଂ ମୃତ୍ୟୁ ୪,୨୭୩,୮୫୨। ମୋଟ୍‌ ୧୮୧,୧୩୯,୯୭୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୩୬,୧୭୯,୫୭୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୬୩୧,୩୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ନୂଆ ସଂକ୍ରମଣର ୮୦% ୫ ରାଜ୍ୟରେ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଅଂଚଳରେ କୋଭିଡ୍‌ ସଂକ୍ରମଣରେ ବୃଦ୍ଧି ଘଟିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୪୨,୯୮୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୫ ରାଜ୍ୟରେ ୮୦.୭୩ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେବଳ କେରଳରେ ନୂଆ ମାମଲାର ୫୨.୧୫ ପ୍ରତିଶତ ରହିଛି। କେରଳ ଏବେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟ ପାଲଟିଛି। ଗତ ୨୪ ଘଣ୍ଟାରେ କେରଳରେ ୨୨,୪୧୪ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୧୨୬ ମାମଲା ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶରେ ୨,୪୪୨, ତାମିଲନାଡ଼ୁରେ ୧୯୪୯ ଏବଂ କର୍ଣ୍ଣାଟକରେ ୧୭୬୯ ମାମଲା ଚିହ୍ନଟ ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୧୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୨୬,୨୯୦ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୨୯ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୩୭ ପ୍ରତିଶତ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୧୮,୧୨,୧୧୪ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ଏବେ ୨.୩ ପ୍ରତିଶତ। ଲଗାତାର ଭାବେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଧିକରୁ ଅଧିକ କଟକଣା କଡ଼ାକଡ଼ି କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର