ହାତ ଭାଙ୍ଗିବାକୁ ଖାତିର ନ କରି ଚେନ୍‌ ଲୁଟେରାକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ପୁଲିସ୍‌ କନେଷ୍ଟବଳ

ଚେନ୍ନାଇ: ଟ୍ରାଫିକ୍‌ ପୁଲିସରେ ହେଡ୍‌ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିବାବି.ବିଜୟକୁମାରଙ୍କ ସାହସିକତା ଏବେ ଚର୍ଚ୍ଚାରେ ରହିଛି। ପୁଲିସର ଦୁର୍ନାମ ରହିଛି କି ସବୁକିଛି ସରିବା ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚେ। କିନ୍ତୁ ଲୋକମାନଙ୍କ ମନରେ ଥିବା ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ପୂରାସାଇଓ୍ଵାଲକମ୍‌ର ବି.ବିଜୟକୁମାର । ଚେନ୍‌ ଲୁଟେରାଙ୍କୁ ଧରିବାକୁ ଯାଇ ହାତ ଭାଙ୍ଗିଯାଇଥିଲେ ମଧ୍ୟ ସେ ଚୋରକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ଦୁଇ ଜଣଙ୍କ ଦୁର୍ବୃତ୍ତଙ୍କ ମାରଣାନ୍ତକ ଆକ୍ରମଣ ସତ୍ତ୍ୱେ ସେ ପଛଘୁଞ୍ଚା ନ ଦେଇ ସେମାନକୁ କାବୁ କରିବାରେ ସଫଳ ହୋଇଥିଲେ । ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଖସି ପଳାଇଥିବା ବେଳେ ଶନିବାର ତାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଶୁକ୍ରବାର ସଂନ୍ଧ୍ୟା ୬ଟା ସମୟରେ କାମ ସାରି ବିଜୟକୁମାର ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଜଣେ ମହିଳା ଫୋନରେ କଥା ହୋଇ ରାସ୍ତା କଡ଼ରେ ଯାଉଥିବା ବେଳେ ଦୁଇ ଜଣ କଳା ପଲ୍‌ସର ଗାଡ଼ି ଧରି ମହିଳାଙ୍କ ପଛରେ ପହଞ୍ଚିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ମହିଳାଙ୍କ ବେକରୁ ଚେନ୍‌ ଟାଣି ନେଇ ଚାଲିଯିବା ସହ ମହିଳା ଜଣକ ତଳେ ପଡ଼ି ଯାଇଥିଲେ । ଏହା ଦେଖିବା ପରେ ବିଜୟକୁମାର ସେମାନଙ୍କ ପିଛା କରିବା ସହ ଆଗ ସିଗ୍‌ନାଲରେ ଥିବା ପୁଲିସ କର୍ମଚାରୀଙ୍କୁ ଏ ନେଇ ସତର୍କ କରାଇଥିଲେ । ସୂଚନା ମିଳିବା ସଙ୍ଗେ ସଙ୍ଗେ ଦୁଇ ଲୁଟେରାଙ୍କୁ ସିଗ୍‌ନାଲରେ ଅଟକାଇବା ସହ ପଛରୁ ବିଜୟକୁମାର ଆସି ତାଙ୍କ ଗାଡ଼ିର ଚାବି କାଢ଼ି ନେଇଥିଲେ । ଧରା ପଡ଼ିଯିବା ଡ଼ରରେ ଦୁଇ ଲୁଟେରା ବିଜୟକୁମାରଙ୍କୁ ଠେଲି ଦେବା ସହ ଦୌଡ଼ିବା ଆରମ୍ଭ କରିଥିଲେ ।

indiatimes.com

ବିଜୟକୁମାରେ ତାଙ୍କୁ ଧରିବା ପାଇଁ ତାଙ୍କ ପଛେ ପଛେ ଧାଇଁବା ସହ ଅରୁଣ ନାମକ ଜଣେ ଲୁଟେରାର କଲାର ଧରି ପକାଇଥିଲେ । ଏହି ସମୟରେ ଅରୁଣଙ୍କ ସାଥୀ ହରୁନ୍‌ ବିଜୟକୁମାରଙ୍କୁ ଶକ୍ତ ଧକା ଦେବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା । ତଥାପି ବିଜୟକୁମାର ହାତ ଭଙ୍ଗାକୁ ଖାତିର ନ କରି ଅରୁଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ହରୁନ୍‌ ସେ ସମୟରେ ଖସି ପଳାଇଥିବା ବେଳେ ଶନିବାର ତାଙ୍କୁ ଗିରଫ କରାଯିବା ସହ ସୁନା ଚେନ୍‌ ଜବତ କରାଯାଇଥିଲା । ବିଜୟକୁମାରଙ୍କ ଏଭଳି କାମ ପାଇଁ ତାଙ୍କୁ ପୁଲିସ ବିଭାଗର ବରିଷ୍ଠ କର୍ମଚାରୀମାନେ ପ୍ରଶଂସା କରିବା ସହ ଲୋକମାନେ ତାଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର