ଲୁଟେରାଙ୍କ ପାଇଁ ଲଢ଼ୁଛନ୍ତି ଦିଦି, କଂଗ୍ରେସର ତୁଷ୍ଟୀକରଣ ରାଜନୀତି କାମ ଦେବନାହିଁ

ଜଳପାଇଗୁଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଂଗର ଜଳପାଇଗୁଡ଼ିରେ ଏକ ରୢାଲିକୁ ଉଦ୍‌ବୋଧନ ଦେଇ ପୁଲିସ-ସବିଆଇ ବିବାଦରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଭୂମିକାକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଗରିବଙ୍କ ଅର୍ଥକୁ ଲୁଟିଥିବା ଲୁଟେରାମାନଙ୍କୁ ସୁରକ୍ଷା ଦେବାପାଇଁ ମମତା ଧାରଣା ଦେଇଥିଲେ ଏବଂ ରାଜ୍ୟବାସୀଙ୍କ ପ୍ରତି ଏହାର ଘୋର ଅନ୍ୟାୟ ବୋଲି ମୋଦୀ କହିଛନ୍ତି। ପଶ୍ଚିମ ବଂଗରେ ମା’, ମାଟି, ମାନୁଷ ନାମରେ ଲୋକେ ଯାହାଙ୍କୁ କ୍ଷମତାକୁ ଆଣିଥିଲେ ସେ ଏବେ ବାମପନ୍ଥୀଙ୍କ ଭଳି ହିଂସାର ସଂସ୍କୃତିକୁ ଆପଣାଇଛନ୍ତି ଏବଂ ଲୁଟେରାଙ୍କୁ ସୁରକ୍ଷିତ ରଖିବାକୁ ଆଇନକୁ ଅବମାନନା କରୁଛନ୍ତି ବୋଲି ମୋଦୀ କହିଛନ୍ତି। ଟିଏମ୍‌ସି ନେତାମାନେ ଦୁର୍ନୀତି ଓ ପ୍ରିୟାପ୍ରୀତିରେ ବୁଡ଼ି ରହିଥିବା ବେଳେ ଦିଦି ଆଖିବୁଜି ସେମାନଙ୍କୁ କାହିଁକି ସମର୍ଥନ କରୁଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ସଙ୍କଟରେ ଛାଡ଼ି ଦିଦି ଏବେ ଦିଲ୍ଲୀ ଯିବା ପାଇଁ ଅଧିକ ବ୍ୟଗ୍ର ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି। ତିନି ତଲାକ ମାମଲାରେ କଂଗ୍ରେସର ନୀତିକୁ ସମାଲୋଚନା କରି ମୋଦୀ କହିଥିଲେ ଯେ ମହିଳା ଅଧିକାର ନେଇ ମିଥ୍ୟା ଆସ୍ଫାଳନ କରୁଥିବା କଂଗ୍ରେସ ଏବେ ନି‌ଜେ ତା’ର ଅସଲ ଚେହେରାକୁ ଦେଶବାସୀଙ୍କ ସାମ୍ନାରେ ରଖିଛି। ତୁଷ୍ଟୀକରଣ ରାଜନୀତିରେ ପୋଖତ କଂଗ୍ରେସ ତିନି ତଲାକ ଆଇନକୁ ଏବେ ଖୋଲାଖୋଲି ବିରୋଧ କରୁଛି। ତେବେ ଏହି ଆଇନକୁ କାଏମ ରହିବ ଏବଂ ଉଚ୍ଛେଦ ହେବାକୁ ଦିଆଯିବ ନାହିଁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର