ସ୍ବପ୍ନ ଦେଖେ‌ଇ ପାସୋରିଗଲେ: ଖଣ୍ଡଗିରି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’

ଭୁବ‌ନେଶ୍ବର: ରୋପ୍‌ୱେ କରିବୁ, ହେରିଟେଜ୍‌ କରିଡର୍‌ ଗଢ଼ିଦେବୁ। ଅତ୍ୟାଧୁନିକ ପର୍ଯ୍ୟଟନ ହବ୍‌ ସୃଷ୍ଟି କରିବୁ, ଖଣ୍ଡଗିରିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ ଦେଖେଇବୁ। ହେରିଟେଜ୍‌ ହାଟ ବୁଲେଇବୁ। ଏମିତି କେତେ କ’ଣ ସ୍ବପ୍ନ ଦେଖେଇଲେ। ଆଶ୍ବାସନା ଦେଲେ। ଏମ୍‌ଓୟୁ ବି ସ୍ବାକ୍ଷର କଲେ। ହେଲେ ପୂର୍ଣ୍ଣାଙ୍ଗ ରୂପ ଦେଲେ ନାହିଁ। ନୂଆ ଯୋଜନା କରି ତାକୁ କାର୍ଯ୍ୟକାରୀ କଲେ। ଅଥଚ ପୁରୁଣା କଥା ଭୁଲିଗଲେ। ପର୍ଯ୍ୟଟନର ପ୍ରାଚୁର୍ଯ୍ୟକୁ ନେଇ ଅନେକ ସମ୍ଭାବନା ତ ଦେଖାଇଲେ, କିନ୍ତୁ ଭିତ୍ତିଭୂମି ଆଶା ଦେଖାଇ ସବୁ ପାସୋରିଦେଲେ।

ଶିଖରଚଣ୍ଡୀ ପର୍ଯ୍ୟଟନ ହବ୍‌ ଯୋଜନା ଫେଲ୍‌
ଶିଖରଚଣ୍ଡୀକୁ ଅତ୍ୟାଧୁନିକ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଯୋଜନା ହେଲା। ମନ୍ଦିର, ପାହାଡ଼ ଓ ଏହାକୁ ସଂଲଗ୍ନ କରୁଥିବା ୫୬ ଏକର ଜାଗାକୁ ନୂଆ ରୂପ ଦେବା ପାଇଁ ସ୍ଥିର ହେଲା। ୩୦୦ କୋଟି ଟଙ୍କାର ଯୋଜନା ହେଲା। ଏନେଇ ଇଡ୍‌କୋକୁ ଦାୟିତ୍ବ ଦିଆଯିବା ପରେ ଇଡ୍‌କୋ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କଲା। ଏହା ମଧ୍ୟରେ ପାର୍କ ଓ ଫୁଡ୍‌କୋର୍ଟ କରିବାକୁ ନିଷ୍ପତ୍ତି ନିଆଗଲା। ୩୭ .୪୯ ଏକର ଜମି ଅଧିଗ୍ରହଣ ପାଇଁ ଇଡ୍‌କୋ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଯୋଜନା ମୁତାବକ ଜମି ଅଧିଗ୍ରହଣ ସରିପାରିଲା ନାହିଁ। ତେଣୁ ସ୍ବପ୍ନ ଦେଖାଇଲେ ହେଁ ଏସବୁକୁ ସାକାର କରିବା ପାଇଁ ଧ୍ୟାନ ଦିଆଗଲା ନାହିଁ।

ଖଣ୍ଡଗିରି ଓ ଉଦୟଗିରିରେ ଶବ୍ଦ ଆଲୁଅର ଖେଳ ଦେଖିବାକୁ ମିଳିବ। ଶବ୍ଦ ଆଲୁଅରେ ସମ୍ରାଟ ‌ଖାରବେଳଙ୍କ କଥା ଦେଖିବା ଓ ଶୁଣିବାର ସୁ‌ଯୋଗ ଜୁଟିବ। ଖଣ୍ଡଗିରିକୁ ନେଇ ୨୦୧୪ରୁ ଏମିତି ଏକ ପରିକଳ୍ପନା ଆରମ୍ଭ ହେଲା। କୋଣାର୍କ ଓ ଧଉଳିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ ପାଇଁ ଯେଉଁ ସମୟରେ ଉଦ୍ୟମ ଆରମ୍ଭ ହୋଇଥିଲା ଖଣ୍ଡଗିରିରେ ମଧ୍ୟ ସେଇ ସମୟରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ସହ ରାଜ୍ୟ ପର୍ଯ୍ୟଟନ ବିଭାଗର କଥାବାର୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଖାରବେଳ କାହାଣୀ ପାଇଁ ଅମିତାଭ ବଚ୍ଚନଙ୍କ ସ୍ବର ଦେବାକୁ ନିଷ୍ପତ୍ତି ହେଲା। ୩ ପ୍ରକଳ୍ପ ପାଇଁ ଟଙ୍କା ବି ମଂଜୁର ହେଲା। ତେବେ କୋଣାର୍କ ଓ ଧଉଳିରେ ଶବ୍ଦ ଆଲୁଅର ଖେଳ ଦେଖିବାକୁ ମିଳୁଥିଲେ ହେଁ ଖଣ୍ଡଗିରି ଏର୍ପ୍ୟନ୍ତ ଏଥିରୁ ବଞ୍ଚିତ ରହିଛି।

କେବେ ହେବ ହେରିଟେଜ୍‌ କରିଡର?
ରାଜଧାନୀରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ବୁଲିବା ପାଇଁ ଏକ ହେରିଟେଜ୍‌ କରିଡର୍‌ର ପରିକଳ୍ପନା କରିଥିଲା ପର୍ଯ୍ୟଟନ ବିଭାଗ। ଫଳରେ ଧଉଳି ସହ ଖଣ୍ଡଗିରି-ଉଦୟଗିରି ମଧ୍ୟରେ ବ୍ୟବଧାନ କମିଥା’ନ୍ତା। ଜଣେ ପର୍ଯ୍ୟଟକକୁ ଧଉଳିରୁ ଖଣ୍ଡଗିରିରେ ପହଞ୍ଚିବା ପାଇଁ ଆଉ ୨୦ କିଲୋମିଟର ବାଟ ବୁଲିବାକୁ ପଡ଼ି ନଥାନ୍ତା। ବରଂ ସେ ମାତ୍ର ୪.୬୧ କିଲୋମିଟର ବାଟ ଅତିକ୍ରମ କରି ଧଉଳିରୁ ଖଣ୍ଡଗିରିରେ ପହଞ୍ଚିଥାନ୍ତା। ଫଳରେ ପର୍ଯ୍ୟଟକମାନଙ୍କୁ ବ୍ୟସ୍ତବହୁଳ ରାଜଧାନୀର ଟ୍ରାଫିକ୍‌ ଭିଡ଼ରେ ଫସିବାକୁ ପଡ଼ି ନଥାନ୍ତା। ଧଉଳିରୁ ଗଣେଶ ଘାଟ ଦେଇ ସୁନ୍ଦରପଦାର ଏବରଙ୍ଗ ମୌଜା ପର୍ଯ୍ୟନ୍ତ ନୂତନ କରିଡର୍‌ ପ୍ରସ୍ତୁତ ହୋଇଥାନ୍ତା। ଏଥିପାଇଁ ୪୩ କୋଟି ଟଙ୍କାର ବ୍ୟୟବରାଦ ସହ ଡିପିଆର୍ ପ୍ରସ୍ତୁତି ସରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଏକ ସଭାରେ ସୂଚନ ଦେଇଥିଲେ। କିନ୍ତୁ ସବୁ ସେଇ ଘୋଷଣାରେ ରହିଗଲା।

ରାହା ଖୋଜୁଛି ଐତିହ୍ୟ ହାଟ
ପର୍ଯ୍ୟଟନ ବିଭାଗର ମେଗା ସର୍କିଟ୍‌ ଯୋଜନ‌ାରେ ଲିଙ୍ଗରାଜ ମନ୍ଦିର ନିକଟ ହାଟକୁ ଐତିହ୍ୟ ହାଟରେ ପରିଣତ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ସେତେବେଳେ ୧କୋଟି ୧୫ଲକ୍ଷ ଟଙ୍କା ବ୍ୟୟରେ ହାଟ ନିର୍ମିତ ହେଲା। କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ସାକାର ହେଲାନାହିଁ।

ଧଉଳି ଓ ନନ୍ଦନକାନନ ରୋପ୍‌ୱେ
ଶାନ୍ତିସ୍ତୂପ ଧଉଳିକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରୋପ୍‌-ୱେ କରିବା ନେଇ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିଲା। ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେତେବେଳେ ଏହି ନିଷ୍ପତ୍ତି ହେଲା। ଏହି ସମୟରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ‌ଏକ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଲେ। କିନ୍ତୁ ଏହି ପ୍ରକଳ୍ପ ସେଇ ବୈଠକରେ ହିଁ କବର ନେଇଗଲା। ନନ୍ଦନକାନନ ମଧ୍ୟରେ ଏକ ରୋପ୍‌ୱେ ଥିଲା ଯେ ତାହା ବି ଦୀର୍ଘଦିନ ହେବ ବନ୍ଦ ପଡ଼ିଛି। ନୂଆ ରୂପରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପରିବେଶ ମଂଜୁରି ମିଳିଛି। କିନ୍ତୁ ଏଯାଏଁ କାମ ଆରମ୍ଭ ହୋଇପାରିନି।

ସମ୍ବନ୍ଧିତ ଖବର