‘ଦୀନ୍‌ ବଚାଓ, ଦେଶ ବଚାଓ’ ର‍୍ୟାଲି

ସାମ୍ପ୍ରଦାୟିକତା ବିରୋଧରେ  ମୁସ୍‌ଲିମ ସଂଗଠନ ଏକଜୁଟ୍‌

ପାଟନା:  ବିହାର ରାଜଧାନୀ ପାଟନା ସ୍ଥିତ ଗାନ୍ଧୀ ମଇଦାନରେ ଆଜି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ(ଏଆଇଏମ୍‌ପିଏଲବି) ପକ୍ଷରୁ ‘ଦୀନ(ଧର୍ମ) ବଚାଓ, ଦେଶ ବଚାଓ’ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦେଶରୁ ସାମ୍ପ୍ରଦାୟିକବାଦ ଦୂର କରିବା ପାଇଁ ବିଭିନ୍ନ ମୁସ୍‌ଲିମ୍‌ ସଂଗଠନ ଏହି ବିଶାଳ ର‍୍ୟାଲିରେ ସାମିଲ ହୋଇଥିଲେ। ଦେଶରେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନ ଏହି ଜନ ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଳେ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଗ୍ରହଣ ନ କରିବାକୁ ଏଆଇଏମ୍‌ପିଏଲ୍‌ବି ପକ୍ଷରୁ କୁହାଯାଇଛି। ମେଗା ର‍୍ୟାଲିକୁ ଦୃଷ୍ଟିରେ ରଖି ପାଟନାରେ ୪ହଜାର ପୁଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ସହରର ପ୍ରମୁଖ  ଅଂଚଳରେ ସିସିଟିଭି ଫୁଟେଜ ଯୋଗେ ନଜର ରଖାଯାଇଥିଲା।  ଇମାରତ ସାରିୟା ଓ  ଏଆଇଏମ୍‌ପିଏଲ୍‌ବିର ଏହି  ର‍୍ୟାଲିରେ ଯୋଗଦେଇ ଆର୍‌ଜେଡି ନେତା ଅବଦୁଲ ଓ୍ଵାରି ସଦ୍ଦିକି କହିଥିଲେ ଯେ ସମ୍ବିଧାନ ସେମାନଙ୍କୁ ଦେଇଥିବା ଅଧିକାର ଆଜି ବିପଦ ଭିତରକୁ ଠେଲି ହୋଇଯାଉଛି। କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସ୍ଲୋଗାନକୁ କେବଳ ଏକ ବାହାସ୍ଫୋଟ ବୋଲି ବିଭିନ୍ନ ସଂଗଠନର ନେତାମାନେ କହିଥିଲେ। ମୁସ୍‌୍‌ଲିମଙ୍କ ବିକାଶ ପ୍ରତି ସରକାର ଧ୍ୟାନ ଦେଉନଥିବା ବେଳେ ସେମାନଙ୍କୁ ସହଯୋଗ ମଧ୍ୟ ମିଳିପାରୁନଥିବାରୁ ନିରାଶାର ବାତାବରଣ ସୃଷ୍ଟି ହୋଇଛି ବୋଲି ବହୁ ନେତା କହିଥିଲେ। ଏହି ଅବସରରେ ପାକିସ୍ତାନ ଓ ଚୀନ୍‌ର ଭାରତ ବିରୋଧୀ ଆଭିମୁଖ୍ୟକୁ ମଧ୍ୟ କଡ଼ା ସମାଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର