ମହାମାରୀ ସମୟରେ ପଦାକୁ ଆସିଲା ଡାକ୍ତରଙ୍କ ଦୁଃଖ, ଦରମା ନ ମିଳିବାରୁ ଅଟୋ ଚଳାଇଲେ

ବେଙ୍ଗାଲୁରୁ: କରୋନା ମହାମାରୀ ସମୟରେ କର୍ଣ୍ଣାଟକରେ ଜଣେ ଡାକ୍ତରଙ୍କ ସଂଘର୍ଷ କାହାଣୀ ପଦାକୁ ଆସିଛି। ଏହି ଡାକ୍ତରଙ୍କ ନାମ ଡ. ରବିନ୍ଦ୍ରନାଥ ଏମ୍‌ଏଚ୍‌। ବୟସ ୫୩। ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଡ. ରବିନ୍ଦ୍ରନାଥ ଏବେ ପାଲଟିଛନ୍ତି ଜଣେ ଅଟୋ ଡ୍ରାଇଭର। ୧୫ ମାସ ଧରି ଦରମା ନପାଇବାରୁ ସେ ଶେଷରେ ଅଟୋରିକ୍ସା ଚଳାଇ ପେଟ ପୋଷୁଛନ୍ତି। ଡ. ରବିନ୍ଦ୍ରନାଥ ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ଆଇଏଏସ୍‌ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି,ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ୨୦୧୮ରେ ସାହାଯ୍ୟ କରିବାକୁ ମନା କରିବାରୁ ତାଙ୍କର ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ପରେ ଜଣେ ଜିଲ୍ଲା ପଞ୍ଚାୟତ ସିଇଓ ତାଙ୍କୁ ଲଗାତାର ନିର୍ଯାତିତ କରିଥିଲେ। ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେବାରେ ଏକ ଯାନ୍ତ୍ରିକ ତ୍ରୁଟି ପାଇଁ ସେମାନେ ରବିନ୍ଦ୍ରନାଥଙ୍କୁ ଦାୟୀ କରିଥିଲେ। ଏହା ତାଙ୍କର ଭୁଲ୍‌ ନଥିଲା ବୋଲି କହିବା ସତ୍ତ୍ବେ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା।

୪ ଦିନ ପରେ ଡ. ରବିନ୍ଦ୍ରନାଥ କେଏଟି ( କର୍ଣ୍ଣାଟକ ପ୍ରଶାସନିକ ଟ୍ରିବ୍ୟୁନାଲ୍‌) ରେ ଏନେଇ ଆବେଦନ କରିଥିଲେ। କେଏଟି ସରକାରଙ୍କ ପୂର୍ବ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ପୁନର୍ବାର ଡ. ରବିନ୍ଦ୍ରନାଥଙ୍କୁ ଅବସ୍ଥାପିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡ. ରବିନ୍ଦ୍ରନାଥଙ୍କୁ କଲବର୍ଗି ଜିଲ୍ଲାର ସେଦାମ ଜେନେରାଲ୍‌ ହସ୍ପିଟାଲ୍‌ରେ ଜଣେ ବରିଷ୍ଠ ମେଡିକାଲ ଅଫିସର୍‌ ଭାବେ ନିଯୁକ୍ତି ମିଳିଥିଲା। ପୂର୍ବରୁ ସେ ୧୭ ବର୍ଷ ଗ୍ରାମାଞ୍ଚଳରେ ସେବା ଯୋଗାଇଥିଲେ । ଏଥିପାଇଁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟ‌ରେ ତାଙ୍କୁ ଯେଉଁ ପଦ ମିଳିଥିଲା ତାହା ଏକ ତଳ ପୋଷ୍ଟ୍‌ ଥିଲା। ସେ କିନ୍ତୁ ଡ୍ୟୁଟିରେ ଯୋଗଦେଲେ ଏବଂ ମାମଲା ଲଢ଼ିବା ପାଇଁ ଏହାର ପରଦିନ ଛୁଟି ନେଇଥିଲେ। ତାଙ୍କୁ ଜିଲ୍ଲା ସ୍ତରୀୟ ହସ୍ପିଟାଲ୍‌ରେ ନିଯୁକ୍ତି ଦେବାପାଇଁ ସେ କେଏଟିରେ ଅନୁରୋଧ କରିଥିଲେ। କେଏଟିରେ ତାଙ୍କର ବିଜୟ ହେଲା। କିନ୍ତୁ କେଏଟିଙ୍କ ରାୟକୁ ପ୍ରଶାସନ ମାନିନାହିଁ। ଏପର୍ଯ୍ୟନ୍ତ ତାଙ୍କୁ ନିଯୁକ୍ତି ମିଳିନାହିଁ। ବଦଳି ପାଇଁ ଲେଖିବାରୁ ଉପରିସ୍ଥ ଅଧିକାରୀମାନେ କହୁଛନ୍ତି, କୋଭିଡ୍‌-୧୯ ପାଇଁ ସେଦାମରେ ତାଙ୍କର ଉପସ୍ଥିତି ଜରୁରୀ। କିନ୍ତୁ କେଏଟି ଡ. ରବିନ୍ଦ୍ରନାଥଙ୍କ ନିଯୁକ୍ତି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ସମୟରେ କୌଣସି ମହାମାରୀ ନଥିଲା। ଏହି ସମୟରେ ସେଦାମ ଜେନେରାଲ୍‌ ହସ୍ପିଟାଲ୍‌ରୁ ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ବଦଳି ହେଉଛି କିନ୍ତୁ ତାଙ୍କ ପାଇଁ ନିୟମ ଅଲଗା। ଉକ୍ତ ମାମଲାରେ ‌ସେ ଏକ ଅବମାନନା ପିଟିସନ୍‌ ଦାଖଲ କରିଛନ୍ତି ଏବଂ ଆସନ୍ତା ୧୧ରେ ଏହାର ଶୁଣାଣି ହେବ। ଡ. ରବିନ୍ଦ୍ରନାଥ କ୍ଲିନିକ୍‌ ଖୋଲି ପାରିଥାନ୍ତେ, କିନ୍ତୁ ଅଟୋ କାହିଁକି ଚଳାଇଲେ ବୋଲି ପଚାରିବାରରୁ କହ‌ିଛନ୍ତି, ଲାଇସେନ୍ସ ପାଇଁ ତାଙ୍କୁ ସେହି ଅଧିକାରୀମାନଙ୍କ ନିକଟକୁ ଯିବାକୁ ପଡ଼ିଥାନ୍ତ।। ସେଥିପାଇଁ ସେ ଲୋନ୍‌ କରି ଅଟୋରିକ୍ସା କିଣିଛନ୍ତି ଏବଂ ଅଟୋରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।

ସମ୍ବନ୍ଧିତ ଖବର