କେବଳ ଭେଣ୍ଟିଲେଟର ନୁହେଁ, ଏହି ଚିକିତ୍ସା ବ୍ୟବସ୍ଥା ବି ବଂଚାଇଲାଣି ଅନେକ କରୋନା ଆକ୍ରାନ୍ତଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହାର ଟିକା ଏବଂ ଚିକିତ୍ସା ଖୋଜିବାରେ ବ୍ୟସ୍ତ ଅଛନ୍ତି। ବାସ୍ତବରେ, କରୋନା ଭୂତାଣୁ ରୋଗୀର ଫୁସଫୁସକୁ ସିଧାସଳଖ ପ୍ରଭାବିତ କରିଥାଏ, ଯେଉଁ କାରଣରୁ କରୋନା ସଂକ୍ରମିତ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଯେଉଁଥିପାଇଁ ଗୁରୁତର ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ | ତେବେ ଭେଣ୍ଟିଲେଟର ବ୍ୟତୀତ ସାରା ବିଶ୍ୱରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନୂତନ ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହେଉଛି | ଏହି ବ୍ୟବସ୍ଥାର ନାମ ହେଉଛି- ଏକମୋ |

ଏସିଆ, ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଗବେଷଣା ପରେ ମେଡିକାଲ୍ ଜର୍ନାଲ୍ ‘ଲାନସେଟ୍‘ରେ ଏହି ଚିକିତ୍ସା ପଦ୍ଧତି ପ୍ରକାଶିତ ହୋଇଛି | ଏହି ପ୍ରଣାଳୀ ମାଧ୍ୟମରେ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ନୂତନ ଆଶା ସୃଷ୍ଟି ହୋଇଛି | ଏହି ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ପାଇଛି। ମିସିଗାନ୍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ କହିବାନୁସାରେ, ଯେତେବେଳେ ଭେଣ୍ଟିଲେଟର କିମ୍ବା ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପ୍ରଣାଳୀ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାକୁ ସଫଳ ସାବ୍ୟସ୍ତ ହୋଇପାରୁନାହିଁ ସେତେବେଳେ ଏକମୋ ପଦ୍ଧତି କରୋନା ରୋଗୀଙ୍କ ପାଇଁ ଏକ ବରଦାନ ଭାବେ ଉଭା ହୋଇଛି |

ଏହି ପ୍ରଣାଳୀ ଦ୍ୱାରା କରୋନା ରୋଗୀଙ୍କ ଫୁସଫୁସରେ ଥିବା ରକ୍ତରେ ଶୁଦ୍ଧ ଅମ୍ଳଜାନ ମିଶ୍ରଣ କରାଯାଇଥାଏ, ଯାହାଦ୍ୱାରା ଗୁରୁତର ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ୪୦% ହ୍ରାସ ପାଇଛି। ମିସିଗାନ୍ ୟୁନିଭରସିଟି ଅଫ୍ ମେଡିସିନର ପ୍ରଫେସର ରିଆନ୍ ବାରବାରୋ କହିଛନ୍ତି ଯେ ପୂର୍ବରୁ ଭାଇରାଲ୍ ନିମୋନିଆ କିମ୍ବା ଗୁରୁତର ଶ୍ୱାସ ରୋଗରେ ଏକମୋ ପଦ୍ଧତି ଅବଲମ୍ବନ କରାଯାଉଥିଲା | ତାଙ୍କ କହିବାନୁସାରେ, ଯେତେବେଳେ କୋଭିଡ କାରଣରୁ ଫୁସଫୁସ ଗୁରୁତର ଭାବରେ ପ୍ରଭାବିତ ହୁଏ ଏବଂ ରୋଗୀର ପ୍ରତିଷେଧକ ବ୍ୟବସ୍ଥା ଦୁର୍ବଳ ଥାଏ, ଏହି ପରିସ୍ଥିତିରେ କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କା ବହୁତ ବଢ଼ିଯାଇଥାଏ । ତେଣୁ ରୋଗୀର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଏ, କିନ୍ତୁ ଯେତେବେଳେ ଭେଣ୍ଟିଲେଟର ମଧ୍ୟ କାମ କରେ ନାହିଁ, ସେତେବେଳେ ରୋଗୀଙ୍କ ପାଇଁ ଏକମୋ ଏକ ଉତ୍ତମ ବିକଳ୍ପ ହୋଇଥାଏ |

ସମ୍ବନ୍ଧିତ ଖବର