ଶନିବାର ପଶ୍ଚିମବଙ୍ଗ, ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ଶେଷ ହେଲା ହାଇ-ଭୋଲଟେଜ୍ ପ୍ରଚାର

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ପଶ୍ଚିମ ବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ନିର୍ବାଚନ ପ୍ରଚାର ଶେଷ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ବଙ୍ଗରେ ୩୦ଟି ଆସନ ଓ ଆସାମରେ ୪୭ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ବିଜେପି ଓ କଂଗ୍ରେସ-ବାମ ମେଣ୍ଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି । ସେହିପରି ଆସାମରେ ବିଜେପି (ଏନଡିଏ) ଓ କଂଗ୍ରେସ (ୟୁପିଏ) ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେଉଛି ।

ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଅଭୁତପୂର୍ବ ଉଷ୍ମତା ପରିଲକ୍ଷିତ ହୋଇଛି । ଏହି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବାକୁ ବିଜେପି ଉଦ୍ୟମ ଚଳାଇଥିବାବେଳେ ମମତା ବାନାର୍ଜୀ ପୁଣି ସରକାରକୁ ଫେରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନରେ ଓହ୍ଲାଇଥିଲେ । ସେପଟେ ଏତେ ସଂଖ୍ୟକ ତାରକା ପ୍ରଚାରକଙ୍କ ମୁକାବିଲା ଏକୁଟିଆ ମମତା ବାନାର୍ଜୀ କରିଚାଲିଛନ୍ତି । ନିର୍ବାଚନ ପ୍ରଚାର ବେଳେ ରାଜ୍ୟରେ କେତେକ ସ୍ଥାନରେ ହିଂସାକାଣ୍ଡର ଖବର ମିଳିଥିଲା । ଜଣେ ବିଜେପି ନେତାଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ସଭାରେ ହିଂସାକାଣ୍ଡ ହୋଇଥିଲା ।

ଅନ୍ୟପକ୍ଷରେ ଆସାମରେ ପୁଣି ଥରେ କ୍ଷମତାକୁ ଫେରିବାକୁ ବିଜେପି ଉଦ୍ୟମ ଚଳାଇଛି । ୨୦୧୬ରେ ବିଜେପି ପ୍ରଥମଥର ପାଇଁ ଆସାମରେ ସରକାର ଗଢିଥିଲା । କିନ୍ତୁ ଏଥର କଂଗ୍ରେସ ମଧ୍ୟ ବିଜେପିକୁ କଡ଼ା ଟକ୍କର ଦେଉଛି ।

ସମ୍ବନ୍ଧିତ ଖବର