ଭିଡିଓ ପୋଷ୍ଟ କରି ଫସିଲେ କେଜ୍ରିୱାଲ, ନିର୍ବାଚନ ଆୟୋଗ ପଠାଇଲେ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆଜି ନିର୍ବାଚନ ଆୟୋଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଇଛନ୍ତି | ସୋମବାର ଦିନ କେଜ୍ରିୱାଲ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ | ଏହାକୁ ନେଇ ନିର୍ବାଚନ ଅୟୋଗ ଏହି ନୋଟିସ ପଠାଇଛନ୍ତି | ମିଳିଥିବା ସୂଚନା ମୁତାବକ ଫେବୃୟାରୀ ୩ ତାରିଖରେ କେଜ୍ରିୱାଲ ଏକ ବିବାଦୀୟ ଭିଡିଓ ଟ୍ୱିଟରରେ ସେୟାର କରିଥିଲେ | ଏହା ବିରୋଧରେ ବିଜେପି କମିସନଙ୍କ ନିକଟରେ ଫେରାଦ ହୋଇଥିଲା।

ଏହି ମାମଲାରେ ନିର୍ବାଚନ ଆୟୋଗ ଫେବୃୟାରୀ ୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ମାଗିଛନ୍ତି | ଏହା କରିବାରେ ବିଫଳ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନୋଟିସରେ କୁହାଯାଇଛି । ଏଠାରେ ସୂଚନା ଥାଉ କି କେଜ୍ରିୱାଲ ଏହି ଭିଡିଓ ଟ୍ୱିଟ କରିବାର ଦିନକ ପରେ ଅର୍ଥାତ ଫେବୃୟାରୀ ୪ ତାରିଖ ଦିନ ବିଜେପି ଏହା ବିରୋଧରେ ଅଭିଯୋଗ ଆଣିଥିଲା |

Photo-aajtak

ନୋଟିସ ଜାରି କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଭିଡିଓରେ ଯାହା ଦେଖାଦେଇଛି ତାହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବେଳେ ଏଥିରେ ଦିଲ୍ଲୀରେ ସାଂପ୍ରଦାୟକ ସଦଭାବନା ବିଗାଡିବା ଭଳି ଦୃଶ୍ୟ ଥିଲା | ଏହି ନୋଟିସରେ କୁହାଯାଇଛି ଯେ ଏହି ଭିଡିଓ ଅପଲୋଡ କରିବା ଦ୍ୱାରା ଆଦର୍ଶ ଆଚରଣବିଧି ଓ ଜନପ୍ରତିନିଧି ଆଇନର ଉଲଙ୍ଘନ ହୋଇଥିବା ଜଣାପଡ଼ୁଛି । ଏହି ଭିଡିଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହ ସମାଜରେ ବିଭେଦ ସୃଷ୍ଟି କରିବା ଆଶଙ୍କା ରହିଛି ।

ଗତ ୧୦ ଦିନ ମଧ୍ୟରେ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ଆୟୋଗଙ୍କ ଏହା ହେଉଛି ୨ୟ ନୋଟିସ । ଗତ ଜାନୁଆରି ୩୦ ତାରିଖରେ କେଜ୍ରିଓ୍ଵାଲ ଏକ କୋର୍ଟ ପରିସରରେ ଓକିଲମାନଙ୍କୁ ମହଲ୍ଲା କ୍ଲିନିକ ସଂପର୍କରେ ଘୋଷଣା କରିଥିବାରୁ ଆୟୋଗ ତାଙ୍କୁ ନୋଟିସ ଜାରିକରି ଚେତାବନୀ ଦେଇଥିଲେ । ଦିଲ୍ଲୀରେ ଆସନ୍ତାକାଲି ଅର୍ଥାତ ଶନିବାରଦିନ ଭୋଟଗ୍ରହଣ ହେବ ।

ସମ୍ବନ୍ଧିତ ଖବର