ମୋଦୀଙ୍କ ରୋଜଗାର ମେଳାକୁ ନାଟକ ବୋଲି କହିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଜଗାର ମେଳାକୁ ସମାଲୋଚନା କରିଛି କଂଗ୍ରେସ । ଜୁମଲା ରାଜାଙ୍କ ଏହା ଏକ ଇଭେଣ୍ଟବାଜି(ନାଟକ) ବୋଲି କଂଗ୍ରେସ କହିଛି । ଦେଶର ଯୁବକମାନଙ୍କୁ ମୋଦୀ ପ୍ରତିଶ୍ରୁତି ଦେଇଥିବା ୧୬ କୋଟି ନିଯୁକ୍ତି କେବେ ପୂରଣ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ରୋଜଗର ମେଲା’ର ଶୁଭାରମ୍ଭ କରିଛନ୍ତି। ଏହି ସମାରୋହରେ ୭୫ ହଜାର ପ୍ରାର୍ଥୀଙ୍କୁ ସରକାରୀ ଚାକିରି ନିମନ୍ତେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ବିଜେପି ପ୍ରତିବର୍ଷ ଦୁଇ କୋଟି ଚାକିରୀ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଗତ ଆଠ ବର୍ଷ ମଧ୍ୟରେ ଏହି ପ୍ରତିଶ୍ରୁତି ପାଳନ କରାଯାଇନାହିଁ । ମୋଦୀ ସରକାର ଇଭେଣ୍ଟବାଜି ନ କରି ଯୁବକଯୁବତୀମାନଙ୍କୁ ପ୍ରକୃତ ନିଯୁକ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ କେବଳ ଚାରିଟି ରାଜ୍ୟ ଦେଇ ଯାଇଛି, କିନ୍ତୁ ଏହା ବିଜେପି ସରକାର ସ୍ୱୀକାର କରିବାକୁ ବାଧ୍ୟ କରିଛି ଯେ ବେକାରୀ ସମସ୍ୟା ହେଉଛି ଦେଶର ସବୁଠାରୁ ବଡ ସମସ୍ୟା।

ଅନ୍ତତଃ ରାହୁଲ ଗାନ୍ଧି ‘ଜୁମଲା ରାଜା’ଙ୍କୁ ସ୍ବୀକାର କରିବାକୁ ବାଧ୍ୟ କରିଛନ୍ତି ଯେ ବେରୋଜଗାର ଦେଶର ଯୁବପୀଢିଙ୍କ ସବୁଠାରୁ ବଡ଼ ସମସ୍ୟା । ଏଣୁ ସରକାର ଯୁବପୀଢିଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର