ଦିଲ୍ଲୀ ବିଧାନସଭା ନିର୍ବାଚନ: ‘ଏକଜିଟ୍ ପୋଲ୍’ ହୋଇପାରେ ‘ଏକଜାଟ୍ ପୋଲ୍’

ବିଜେପି ସ୍ଥିତିରେ ସାମାନ୍ୟ ସୁଧାର, କଂଗ୍ରେସ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରାଥମିକ ସୂଚନା ହସ୍ତଗତ ହୋଇଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏଯାବତ୍ ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ । ଏହି ରିପୋର୍ଟ ଲେଖାଯିବା ସମୟରେ ସମସ୍ତ ୭୦ ଆସନର ପ୍ରାଥମିକ ଟ୍ରେଣ୍ଡ ଆସି ସାରିଥିଲା । ସେ ଅନୁସାରେ ଆମ୍ ଆଦମୀ ପାର୍ଟି ୫୪ଟିରେ ଆଗୁଆ ଥିବା ବେଳେ ବିଜେପି ୧୫ଟିରେ ଆଗୁଆ ରହିଛି। କଂଗ୍ରେସ କେବଳ ଗୋଟିଏ ଆସନରେ ଆଗୁଆ ଥିବା ଦେଖିବାକୁ ମିଳିଛି। ମୋଟାମୋଟି ‘ଏକଜିଟ୍ ପୋଲ୍’ ଏବେ ‘ଏକଜାଟ୍ ପୋଲ୍’ରେ ରୁପାନ୍ତରିତ ହେଉଥିବା ଭଳି ମନେ ହେଉଛି।

ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ ଏବଂ ଏଜେନ୍‌ସିମାନଙ୍କ ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ (ବୁଥ୍‌ ବାହୁଡ଼ା ମତ) ସର୍ଭେ ରିପୋର୍ଟ ଅନୁସାରେ ଏଥର ମଧ୍ୟ ଅରବିନ୍ଦ ‌କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ପୁଣି ସରକାର ଗଠନ କରିବ। ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ଆପ୍‌କୁ ୫୫ ଆସନ ମିଳିବ ବୋଲି ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲରେ ଦେଖିବାକୁ ମିଳିଥିଲା । ବିଜେପି ସ୍ଥିତିରେ ଏଥର କିଛି ସୁଧାର ହୋଇଥିଲେ ମଧ୍ୟ ଏହା ସରକାର ଗଠନଠାରୁ ବହୁତ ପଛରେ ରହିବ ବୋଲି ଅନୁମାନ କରାଯାଇଥିଲା । ଏଥର ନିର୍ବାଚନରେ ମଧ୍ୟ କଂଗ୍ରେସର ସ୍ଥିତି ସବୁଠାରୁ ଶୋଚନୀୟ ରହିବ। ଅଧିକାଂଶ ଏକ୍‌ଜିଟ୍‌ ପୋଲରେ କଂଗ୍ରେସ ସର୍ବାଧିକ ଗୋଟିଏ ଆସନ ପାଇବ ବୋଲି କୁହାଯାଇଥିଲା।

Image Source: Zee News

ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ଆପ୍‌କୁ ୬୭ ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲିପାରିନଥିଲା। ଆପ୍‌କୁ ୫୪.୩ ଭାଗ ମିଳିଥିବା ବେଳେ ବିଜେପିକୁ ୩୨ ଏବଂ କଂଗ୍ରେସକୁ ୯.୬ ଭାଗ ଭୋଟ୍ ମିଳିଥିଲା।

ସମ୍ବନ୍ଧିତ ଖବର