ନକଲି ଆଇଏଏସ୍‌ଙ୍କ କାରନାମା: ଚର୍ଚ୍ଚା‌ରେ ରହିବାକୁ ନକଲି ଟିକାକରଣ କାର୍ଯ୍ୟକ୍ରମ

କୋଲକାତା : କୋଲକାତାରେ ହୋଇଥିବା ନକଲି ଟିକାକରଣ କାର୍ଯ୍ୟକ୍ରମ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ପୁଲିସ ଏହାର ମୁଖ୍ୟ ସଂଚାଳକ ସମେତ ୩ ଜଣଙ୍କୁ ଗିରଫ କରିବା ପରେ ସମଗ୍ର ମାମଲାରୁ ପରଦା ହଟିଛି। କୋଲକାତା ପୁଲିସ ଗତ ବୁଧବାର ଦିନ ଦେବାଞ୍ଜନ ଦେବ ନାମକ ଜଣେ ୨୮ ବର୍ଷୀୟ ଯୁବକକୁ ନକଲି ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବା ଅଭିଯୋଗରେ ଗିରଫ କରିଛି। ଦେବାଞ୍ଜନ ନିଜକୁ ଜଣେ ଆଇଏଏସ୍‌ ଅଧିକାରୀ ଭାବେ ଜାଲ ପରିଚୟ ଦେଇ ଅନେକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲା। ଦେବାଞ୍ଜନର କହିବା‌ନୁଯାୟୀ ବାପା ଜଣେ ପୂର୍ବତନ ଅବକାରୀ ଅଧିକାରୀ। ଦେବାଞ୍ଜନ ଆଇଏଏସ୍‌ ହେଉ ବୋଲି ସେ ଚାହିଥିଲେ। ଆଇଏଏସ୍‌ ପାଇନଥିଲେ ମଧ୍ୟ ବାପାଙ୍କୁ ସେ ଆଇଏଏସ୍‌ ପାଇଥିବା କହିଥିଲା ଏବଂ ନିଜକୁ ଆଇଏଏସ୍‌ ଭାବେ ଦର୍ଶାଇ ସେ ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲା ।

ଦେବାଞ୍ଜନ କରୋନାର ପ୍ରଥମ ଲହରରେ ନିଜକୁ କୋଲକାତା ପୌର ନିଗମ କର୍ମୀ ଭାବେ ଦର୍ଶାଇ ସାଧାରଣ ଲୋକଙ୍କ ମଧ୍ୟରେ ମାଗଣା ମାସ୍କ ଏବଂ ଖାଦ୍ୟ ବାଣ୍ଟିଥିଲା। ସେ ମଧ୍ୟ ନିଜକୁ ଜଣେ ସାମାଜିକ କର୍ମୀ ଭାବେ ଦର୍ଶାଇ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବାପାଇଁ ରାଜନେତାମାନଙ୍କୁ ଅନୁରୋଧ କରିଥିଲା। ପ୍ରଥମ ଲହରରେ ତାଠାରୁ ସାହାଯ୍ୟ ପାଇଥିବା ଅନେକ ଲୋକ ତାକୁ ଟିକା ପାଇଁ ଅନୁରୋଧ କରିଥିଲେ। ତେଣୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲା ଏବଂ କସବା ଅଞ୍ଚଳରେ ନକଲି କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲା। ଜୁନ୍‌ ୨୨‌ରେ ଏହି ନକଲି ଟିକାକରଣ ଶିବିର ନେଇ ପ୍ରଥମ ମାମଲା ରୁଜୁ ହୋଇଥିଲା। ‌ସବୁବେଳେ ଦେବ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାପାଇଁ ଏବଂ ଚର୍ଚ୍ଚା‌ରେ ରହିବାପାଇଁ ଏଭଳି ସମାଜ ସେବା ଆରମ୍ଭ କରିଥିବା ସେ ପୁଲିସକୁ କହିଛି।

ସମ୍ବନ୍ଧିତ ଖବର