ହତ୍ୟା କରିବା ପୂର୍ବରୁ ଅପରାଧି ଖାଇଥିଲେ ଶକ୍ତିବର୍ଦ୍ଧକ ଔଷଧ, ଜ୍ୱାଇଁଙ୍କ ହତ୍ୟା ପାଇଁ ସୁପାରୀ ଦେଇଥିଲେ ଶ୍ୱଶୁର

ପାଟନା: ଜ୍ୱାଇଁଙ୍କୁ ହତ୍ୟା କରିବା ପାଇଁ ଶ୍ୱଶୁର ଦେଇଥିଲେ ସୁପାରୀ | ନିଜ ଝିଅ ପ୍ରେମ ବିବାହ କରିଥିବାରୁ ଜ୍ୱାଇଁଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ଶ୍ୱଶୁର | ବିହାରର ବାଢରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରୁ ପରଦା ଉଠାଇଛି ପୁଲିସ | ପୁଲିସର ସୂଚନା ମୁତାବକ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ବାଢର ସବିତା ହଲ୍ ନିକଟରେ ସନ୍ଧ୍ୟା ସମୟରେ ଅଙ୍କିତ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଗୁଳିକାଣ୍ଡରେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା | ତେବେ ଏହି ହତ୍ୟା ପଛରେ ଅଙ୍କିତଙ୍କ ଶ୍ୱଶୁରଙ୍କର ହିଁ ହାତ ରହିଛି ବୋଲି ପୁଲିସ କହିଛି | ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଅଙ୍କିତ ପ୍ରେମ ବିବାହ କରିଥିଲେ, ଯେଉଁଥିପାଇଁ ତାଙ୍କ ଶ୍ୱଶୁର ଥାପୁ ସିଂ କ୍ରୋଧିତ ହୋଇଥିଲେ।

ସେ ହିଁ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲେ। ଗିରଫ ଶ୍ୱଶୁର ଥାପୁ ସିଂ ତାଙ୍କ ଝିଅର ପ୍ରେମ ବିବାହକୁ ନେଇ ଜ୍ୱାଇଁଙ୍କ ଉପରେ ରାଗିଯାଇଥିଲେ | ପୁଲିସର ସୂଚନାନୁସାରେ, ଶ୍ୱଶୁର ୩ ଜଣ ସୁଟରଙ୍କୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ | ଅଗ୍ରିମ ଆକାରରେ ୬୦ ହଜାର ଟଙ୍କା ଦିଆଯାଇଥିବାବେଳେ ହତ୍ୟା ପରେ ବଳକା ଟଙ୍କା ନେବେ ବୋଲି ହତ୍ୟାକାରୀ ରାଜି ହୋଇଥିଲେ |

ଆଉ ଜୁଲାଇ ୧୨ ତାରିଖ ଦିନ ସୁପାରୀ କିଲରମାନେ ଅଙ୍କିତଙ୍କୁ ହତ୍ୟା କରିଥିଲେ | ତେବେ ଗିରଫ ହୋଇଥିବା ଅଭିଯୁକ୍ତ ବଣ୍ଟି କୁମାର ପଚରାଉଚରା ବେଳେ କହିଛନ୍ତି ଯେ ହତ୍ୟା ପୂର୍ବରୁ ସେମାନେ ସମସ୍ତେ ଶକ୍ତିବର୍ଦ୍ଧକ ବଟିକା ଖାଇଥିଲେ । ତା’ପରେ ସମସ୍ତେ ଏକାଠି ହୋଇ ଅଙ୍କିତଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଗୁଳି ବିନିମୟରେ ବିନୟ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି ବାଜିଥିଲା । ଆଉ ଏହି ଗୁଳିକାଣ୍ଡରେ ଅଙ୍କିତଙ୍କ ସହ ବିନୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ହତ୍ୟା ପରେ ସମସ୍ତ ଅପରାଧୀ ଫେରାର ହୋଇଯାଇଥିଲେ |

ସମ୍ବନ୍ଧିତ ଖବର