ଜୀବନରେ ଉନ୍ନତି ଆଣିବାକୁ ଜ୍ୟୋତିଷ କଥାରେ ୫ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା

ଚେନ୍ନାଇ: ‘ଜୀବନରେ ଉନ୍ନତି ଆଣିବାକୁ ହେଲେ ପୁଅକୁ ବଳି ଦିଅ | ତୁମର ପ୍ରଗତିରେ ୫ ବର୍ଷୀୟ ପୁଅ ବାଧା ସାଜୁଛି’ | କିଛି ଏଭଳି କହି ଜନୈକ ଜ୍ୟୋତିଷ ଜଣେ ବାପାକୁ ହତ୍ୟାକାରୀ ସଜାଇଦେଇଛନ୍ତି | ଆଉ ଜ୍ୟୋତିଷର ମିଛ କଥାରେ ବିଶ୍ୱାସ କରି ଜଣେ ବାପା ତାହାର ପୁଅକୁ ହରାଇଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ତିରୁବରୁର ଅଂଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ରାମକୀ ନାମକ ଅଟୋ ଡ୍ରାଇଭର ଜଣେ ଜ୍ୟୋତିଷଙ୍କ ଉପରେ ଅଗାଧ ବିଶ୍ୱାସ କରୁଥିଲେ |

ରାମକୀ ନିୟମିତ ଜ୍ୟୋତିଷଙ୍କ ପାଖକୁ ଯାଉଥିବାବେଳେ ଜ୍ୟୋତିଷ ଜଣକ କହିଥିଲେ ଯେ ଜୀବନରେ ଉନ୍ନତି ପଥରେ ପୁଅ ୫ ବର୍ଷର ପୁଅ ବାଧା ସାଜୁଛି | ଜ୍ୟୋତିଷ ଜଣକ କହିଥିଲେ ଯେ, ପୁଅ ମୃତ୍ୟୁର କାରଣ ହୋଇପାରେ, ତେଣୁ ୧୫ ବର୍ଷ ଧରି ନିଜ ସନ୍ତାନକୁ ଦୂରେଇ ରଖନ୍ତୁ | ଏହା ପରେ ରାମକୀ ନିଜ ପୁଅକୁ ସମ୍ପର୍କୀୟଙ୍କ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ |

ଯାହାକୁ ରାମକୀଙ୍କ ପତ୍ନୀ ତୀବ୍ର ବିରୋଧ କରିଥିଲେ | ସ୍ତ୍ରୀଙ୍କ ସହ କଳହ ପରେ ରାମକୀ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ ଓ ରାଗିଯାଇ ତାଙ୍କ ପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ | ଆଉ ଗୁରୁତର ଆହତ ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାହାର ମୃତ୍ୟୁ ଘଟିଥିଲା | ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି | ପୁଲିସ ରାମକୀକୁ ଅଟକ ରଖି ପଚରାଉଚୁରା କରୁଛି |

ସମ୍ବନ୍ଧିତ ଖବର