‘ପଦ୍ମାବତୀ’ ସପକ୍ଷରେ ବାହାରିଲା ସିନେ ଶିଳ୍ପ: କରିବେ ୧୫ ମିନିଟ୍‌ର ବ୍ଲାକ୍‌ଆଉଟ୍‌

ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ ଚାରିଆଡ଼େ ବିରୋଧ ହେଉଥିବା ବେଳେ ଚଳଚ୍ଚିତ୍ରର ସପକ୍ଷରେ ବାହରିଛି ଭାରତୀୟ ସିନେ ଶିଳ୍ପ। ଇଣ୍ଡିଆନ୍‌ ଫିଲ୍ମସ ଆଣ୍ଡ୍‌ ଟିଭି ଡାଇରେକ୍ଟରସ୍‌ ଆସୋସିଏସନ(ଆଇଏଫ୍ଟିଡିଏ) ସହିତ ଅନ୍ୟ ୨୦ଟି ସଂଗଠନ ଚଳଚ୍ଚିତ୍ରଟିକୁ ସମର୍ଥନ କରି ‘୧୫ ମିନିଟ୍‌ ବ୍ଲାକ୍‌ଆଉଟ୍‌’ କରିବାର ନିଷ୍ପତ୍ତି ନେଇଛନ୍ତି। କଳାକାରର  ସ୍ବାଧୀନ ମତବ୍ୟକ୍ତ କରିବା ଅଧିକାରର କ୍ଷୁର୍ଣ୍ଣତାକୁ ବିରୋଧ କରି ଏପରି ନଷ୍ପତ୍ତି ନିଆଯାଇଛି।

ଏହି ଅଭିଯାନ ସଂପର୍କରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ସ୍ପଷ୍ଟ କରି କହିଛନ୍ତି ଯେ ‘ଆମେ ଉଭୟ ଚଳଚ୍ଚିତ୍ର ଏବଂ ସଂଞ୍ଜୟଲୀଲା ଭଂସାଲୀଙ୍କୁ ଆମର ସଂପୂର୍ଣ୍ଣ ସମର୍ଥନ ଦେବୁ। ଏକ କାହାଣୀକୁ ନିଜ ଶୈଳୀରେ ଉପସ୍ଥାପନ କରିବା ଜଣେ ସୃଜନଶୀଳ ବ୍ୟକ୍ତିର ମୌଳିକ ଅଧିକାର। ସଞ୍ଜୟଲୀଲା ଜଣେ ଦାୟିତ୍ୱସଂପନ୍ନ ଚଳଚ୍ଚିତ୍ର ନିର୍ମାତା। ଇତିହାସକୁ ନେଇ ଚଳଚ୍ଚିତ୍ର କରିବା ସହଜ କଥା ନୁହେଁ, ଏହା ଏକ ବଡ଼ ଦାୟିତ୍ୱ। ତେଣୁ, ରବିବାର ଦିନ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନେ ନିଜର ଏକତା ପ୍ରଦର୍ଶନ କରି ୧୫ ମିନିଟ୍‌ ପାଇଁ ମୁମ୍ବାଇର ସମସ୍ତ ସୁଟିଂ ୟୁନିଟ୍‌ରେ ଆଲୁଅ ଲିଭାଇ ଅନ୍ଧାର କରିବେ। ସେ ସମୟରେ କୌଣସି ପ୍ରକାର ସୁଟଂ କରାଯିବ ନାହିଁ।’

ପଣ୍ଡିତ ଆହୁରି ବି କହିଛନ୍ତିି, ‘ଚଳଚ୍ଚିତ୍ରକୁ ବିରୋଧ କରିବା ସହ କଳାକାରଙ୍କୁ ଧମକ ଦେଉଥିବା ଅଣ ସାଂଗଠନିକ ସଂସ୍ଥାଗୁଡ଼ିକୁ ଭାରତୀୟ ସିନେ ଶିଳ୍ପ ବିରୋଧ କରିବ। ଏପରି କାର୍ଯ୍ୟ ନିନ୍ଦନୀୟ। ପଦ୍ମାବତୀ ଚଳଚ୍ଚିତ୍ରକୁ ଉଚିତ ନ୍ୟାୟ ମିଳିବ ବୋଲି ଆମର ଆମ ପ୍ରଧାନମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି।’

‘ପୂର୍ବରୁ ଏହି ପରି  ଚଳଚ୍ଚିତ୍ର ଦୁନିଆକୁ ଟାର୍ଗେଟ କରି ଆମର ମତବ୍ୟକ୍ତ  ଅଧିକାରକୁ କ୍ଷୁର୍ଣ୍ଣ କରି ଅଧିକାଂଶ ସମୟରେ ଆମକୁ ଆଘାତ ଦିଆଯାଉଛି। ଆମେ କୌଣସି ସଂସ୍ଥାଠାରୁ ସମର୍ଥନ ମଧ୍ୟ ପାଉନାହୁଁ। ଏପରିକି ସରକାରଙ୍କଠାରୁ ମଧ୍ୟ ନୁହଁ। ଏମିତି ଲାଗୁଛି ଆମେ ଅନାଥ।’ ବୋଲି ପଣ୍ଡିତ କହିଛନ୍ତି।

ଚଳଚ୍ଚିତ୍ରଟି ବିବାଦ ପରିସରକୁ ଆସିବାର ମୁଖ୍ୟ କାରଣ ସଂପର୍କରେ ଆଲୋଚନା କରି ପଣ୍ଡିତ କହିଛନ୍ତି, ‘ଚଳଚ୍ଚିତ୍ରରେ ରାଜପୁତ ରାଣୀ ପଦ୍ମାବତୀ ଏବଂ ଆଲ୍ଳାଉଦ୍ଦିନ ଖିଲିଜଙ୍କ ମଧ୍ୟରେ ରହିଥିବା ଅନ୍ତରଂଗ ଦୃଶ୍ୟକୁ ନେଇ କର୍ଣ୍ଣି ସେନା କ୍ଷୋଭ ପ୍ରକାଶ କରିଥିଲେ। ମାତ୍ର ଚଳଚ୍ଚିତ୍ରର ସେପରି କୌଣସି ଦୃଶ୍ୟ ନାହିଁ। ଆମେ ଗଣତନ୍ତ୍ର ରାଷ୍ଟ୍ରରେ ବସବାସ କରୁଛୁ। ସରକାର ଏବଂ ନ୍ୟାୟତନ୍ତ୍ର ଉପରେ ଯଥେଷ୍ଟ ଭରସା ରହିଛି। ବିରୋଧୀମାନେ ଚଳଚ୍ଚିତ୍ର ଦେଖିନାହାନ୍ତି। ଚଳଚ୍ଚିତ୍ରରେ ସେପରି କୌଣସି ଆପତ୍ତିଜନକ ଦୃଶ୍ୟ ନାହିଁ ବୋଲି ସଞ୍ଜୟଲୀଲା ଭଂସାଲି ସ୍ପଷ୍ଟ କରି ସାରିଛନ୍ତି।

ଚଳଚ୍ଚିତ୍ର  ଏବଂ ଟେଲିଭିଜନ ଦୁନିଆର ସମସ୍ତ ସଦସ୍ୟ ଏହି ବ୍ଲାକ୍‌ଆଉଟ୍‌ରେ ଯୋଗ ଦେବେ। ନଭେମ୍ବର ୨୬ ତାରିଖରେ ଫିଲ୍ମସିଟିର ମୁଖ୍ୟ ଦ୍ୱାରରେ ଅପରାହ୍ନ ୩.୩୦ରେ ଏହି ବ୍ଲାକ୍‌ଆଉଟ୍‌ କରାଯିବ।

ସମ୍ବନ୍ଧିତ ଖବର