ଦିଲ୍ଲୀରେ ସିଏଏ ବିକ୍ଷୋଭକାରୀଙ୍କୁ ଗୁଳି : ଗୁଳି ଚଳାଇଥିବା ଛାତ୍ର ଅଟକ

କେନ୍ଦ୍ରକୁ ଦାୟୀ କଲେ ବିରୋଧୀ ଦଳ, କଠୋର କାର୍ଯ୍ୟାନୁଷ୍ଠାନ ହେବ: ଶାହ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପିର ଆଉ ଜଣେ ସାଂସଦଙ୍କ ଆପତ୍ତିଜନକ ମନ୍ତବ୍ୟ ଦେବାର ୪ ଦିନ ଯାଇନି ରାଜଧାନୀ ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଜାମିଆ ନିକଟରେ ଆଜି ସିଏଏ ବିରୋଧୀ ବିକ୍ଷୋଭ ଚାଲିଥିବା ବେଳେ ଜଣେ ଛାତ୍ର ସେମାନଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ଜଣେ ଜାମିଆ ଛାତ୍ର ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ପରିସ୍ଥିତି ଆହୁରି ବିଗିଡ଼ିଯାଇଛି। ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁଳିକାଣ୍ଡର ନିନ୍ଦା କରିଛନ୍ତି। କହିଛନ୍ତି ଯେ ଏହା ଗ୍ରହଣୀୟ ନୁହେଁ। ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳର ନେତା ଏହି ଗୁଳିକାଣ୍ଡର ନିନ୍ଦା କରିବା ସହିତ ଏଥିଲାଗି କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ‌କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପିର ଆଉ ଜଣେ ସାଂସଦ ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏହା ହେଉଛି ତାର ପରିଣାମ।

ସେମାନେ ଏକ ନିର୍ବାଚନୀ ସଭାରେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ ଉସୁକାଇଲା ଭଳି ‘ଗୋଲି ମାରୋ….’ ଆହ୍ବାନ ଦେଇଥିଲେ। ଏଭଳି ଭାଷଣରେ ଉତ୍ସାହିତ ହୋଇ ଯୁବକ ଜଣକଏଭଳି କାଣ୍ଡ ଘଟାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ଏହାକୁ ନିୟନ୍ତ୍ରଣରେ ରଖାଯିବା ଆବଶ୍ୟକ।

ଯୁବକ ଜଣକ ଆଜି ଗୁଳି ଚଳାଇବା ସମୟରେ‌ ବହୁସଂଖ୍ୟାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ତାହାକୁ ରୋକି ନଥିଲେ। ସେ ଗୁଳି ଚଳାଇବା ପରେ ଲୋକମାନେ ଓ ପୁଲିସ ତାକୁ କାବୁ କରି‌ଥିଲେ। ଯୁବକ ଜଣକ ଦେଶୀ ପିସ୍ତଲରୁ ଗୁଳି ଚଳାଇବାରୁ ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ଯୁବକ ପିସ୍ତଲ ଦେଖାଇ କହିଥିଲା- ଦିଲ୍ଲୀ ପୁଲିସ ଜିନ୍ଦାବାଦ, ଜାମିଆ ମିଲିଆ ମୁର୍ଦ୍ଦାବାଦ। ମୁଁ ତୁମକୁ ସ୍ବାଧୀନତା ଦେଉଛି । ଏହା କହି ସେ ଗୁଳି ଚଳାଇଥିଲା। ଏହି ଯୁବକ ହେଉଛି ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ତାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଗୁଳିମାଡ଼ରେ ଆହତ ଛାତ୍ର ସାଦାବ ଫାରୁକ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫାରୁକ୍‌ ଗଣମାଧ୍ୟମ ବିଭାଗର ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ହାତରେ ହିଁ ଆଘାତ ଲାଗିଛି ଏବଂ ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ହସ୍ପଟାଲ ସୂତ୍ରରୁ ଜଣାପଡ଼ିଛି।

ଆଜି ଜାମିଆରୁ ରାଜଘାଟ ପର୍ଯ୍ୟନ୍ତ ସିଏଏ ବିରୋଧୀ ଶୋଭାଯାତ୍ରା ବାହାରିଥିଲା। ଏବଂ ଏଥିପାଇଁ ପ୍ରଶାସନ ଅନୁମତି ଦେଇନଥିଲା। ଗୁଳିକାଣ୍ଡ ପରେ ବି ଛାତ୍ରମାନେ ଶୋଭାଯାତ୍ରାରେ ବାହାରିଥିଲେ। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସନ୍ଧ୍ୟା ବେଳେ ପୁଲିସ ସହିତ ଆପନ୍ଦାଳନକାରୀଙ୍କର ଧସ୍ତାଧସ୍ତି ହୋଇଛି।

ଆନ୍ଦୋଳନ ସମୟରେ ଗୁଳିକାଣ୍ଡ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏ ବାବଦରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ଯୁବକ ବିରୋଧରେ ୩୦୭ ଏବଂ ଅସ୍ତ୍ର ଆଇନ ଅନ୍ତର୍ଗତ ଦଫା ଲଗାଯାଇଛି। ତଦନ୍ତ ଜାରି ରହିଛି।

ଗୁଳି ଚଳାଇଥିବା ଯୁବକ ପୂର୍ବରୁ ଫେସ୍‌ବୁକ୍‌ରେ ତା’ର ଇଛା ଜାହିର କରିଥିଲା। ୨୦୧୮ରେ ଉତ୍ତର ପ୍ରଦେଶର କାସଗଂଜ ଜିଲ୍ଲାରେ ହୋଇଥିବା ସାଂପ୍ରଦାୟିକ ସଂଘର୍ଷରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଏଭଳି କରିଥିବା କହିଥିଲା।

ସମ୍ବନ୍ଧିତ ଖବର