ପ୍ରବାସୀ ବୋଝେଇ ଟ୍ରକ୍ ଓଲଟି ୫ ଆହତ, ମହାରାଷ୍ଟ୍ରରୁ ଫେରୁଥିଲେ ୫୩ ଓଡ଼ିଆ

୨ଲକ୍ଷ ଟଙ୍କା ଭଡ଼ା, ନାସିକ୍‌ ହାଇୱେରେ ଦୁର୍ଘଟଣା

ଚିକିଟି: ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ଏକ ଟ୍ରକ୍‌ ୨ଲକ୍ଷ ଟଙ୍କାରେ ଭଡ଼ା କରି ୫୩ ଜଣ ପ୍ରବାସୀ ଓଡ଼ିଆ ଫେରୁଥିବା ସମୟ‌ରେ ଆଜି ସକାଳେ ନାସିକ୍ ସହରଠାରୁ ୧୦୦ କିଲୋମିଟର ଦୂର ଜାତୀୟ ରାଜପଥରେ ଦୁର୍ଘଟଣାରେ ପଡ଼ିଛନ୍ତି। ଫଳରେ ୫ ଜଣ ପ୍ରବାସୀ ଓଡ଼ିଆ ଆହତ ହୋଇଛନ୍ତି। ଟ୍ରକ୍‌ଟି ଗତ ମଙ୍ଗଳବାର ରାତିରେ ବାହାରିଥିଲା। ଆଜି ସକାଳେ ଭାରସାମ୍ୟ ହରାଇ ହାଇୱେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ୫୩ଜଣଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଅନ୍ୟମାନେ ଅଳ୍ପ‌କେ ବର୍ତ୍ତି ଯାଇଛନ୍ତି। ସେଠାକାର ପୁଲିସ, ପ୍ରଶାସନ ଓ ଜନପ୍ରତିନିଧି ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଦୁଇଓଳା ରନ୍ଧାଖାଦ୍ୟ ଯୋଗାଇବା ସହ ଓଡ଼ିଶାକୁ ପଠାଇବାର ବ୍ୟବସ୍ଥା କରିଥିଲେ।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟା ୭ଟାରେ ସେଠାରୁ ୫୩ ଜଣ ପ୍ରବାସୀଙ୍କୁ ନେଇ ଏକ ବସ୍ ଓଡ଼ିଶା ଅଭିମୁଖେ ଆସୁଛି। ଏଥିରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତିନିଘରିଆର ୩ ଜଣ, ମୁଣ୍ତକିରିର ୧୫ ଜଣ, ଚିକିଟି ବ୍ଲକ୍ ବୀରସିଂହଲକ୍ଷ୍ମୀନାରାୟଣପୁରର ୩ ଜଣ ଏବଂ ହିଂଜିଳି ଅଞ୍ଚଳର ୧୫ ଜଣ ଅଛନ୍ତି। ଅନ୍ୟମାନେ ଭଦ୍ରକ ଓ ବାଲେଶ୍ବରର ବୋଲି ଜଣାପଡ଼ିଛି। ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ସରିଥିବା ଲାଲମେଣ୍ଟା ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ଏତଦ୍‌ବ୍ୟତୀତ ଥାନେରୁ ଆଜି ରାତିରେ ୨ଟି ଟ୍ରକ୍ ୧୦୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏଥିରେ ଚିକିଟି ବ୍ଲକ୍ କଳବାଡ଼ ପଞ୍ଚାୟତ ଅଧୀନ ମଇସାନପୁର ଗ୍ରାମର ଅଧିକ ପ୍ରବାସୀ ଓଡ଼ିଆ ଅଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ଆଉ ଏକ ବସ୍ ଚିକିଟି ବ୍ଲକ୍‌ର ୧୨ଜଣଙ୍କ ସମତେ ୩୨ଜଣଙ୍କୁ ନେଇ ଥାନେରୁ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ସେହିପରି ଗତକାଲି ରାତି ୧୨ଟାରୁ ଏକ ବସ୍ (କେଏ-୫୧ସି-୦୨୯୧)ବେଙ୍ଗାଲୁରୁରୁ ୩୩ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଆସୁଛି। ଆସନ୍ତାକାଲି ଭୋର୍‌ରେ ଏହା ପହଞ୍ଚିବ। ଏଥିରେ ଚିକିଟି ବ୍ଲକ୍ ଲାଲମେଣ୍ଟା ପଞ୍ଚାୟତ ବୀରସିଂହଲକ୍ଷ୍ମୀନାରାୟଣପୁର ଗ୍ରାମର ୧୧ଜଣ ଅଛନ୍ତି। ସେମାନେ ସୁରଳ ଜଙ୍କସନ୍‌ରେ ଓହ୍ଲାଇବେ। କରୋନା ସଂକ୍ରମଣ ଭୟରେ ରେଳଯାତ୍ରା ପାଇଁ ଚିକିଟି ବ୍ଲକ୍‌ର ବହୁ ପ୍ରବାସୀ ଓଡ଼ିଆ ସୁରକ୍ଷିତ ମଣୁ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର