ମଧ୍ୟପ୍ରଦେଶ ବନ୍ୟା‌ରେ ୭୦ ମୃତ, ଉତ୍ତରାଞ୍ଚଳ ରାଜ୍ୟରେ ଅଣାୟତ୍ତ ସ୍ଥିତି

ଭୋପାଳ: ପଶ୍ଚିମ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟୟ ଭୟଙ୍କର ରୂପ ନେଇଛି। ବର୍ଷା ଓ ବନ୍ୟାରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମଧ୍ୟପ୍ରଦେଶରେ ଅଣାୟତ ସ୍ଥିତି ଉପୁଜିଛି। ବନ୍ୟା ଘେରରେ ଥିବା ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‌ସେପ‌ଟେ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇ ଭୟଙ୍କର ସ୍ଥିତି ଉପୁଜିଛି। ପଂଜାବ ଏବଂ ରାଜସ୍ଥାନରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଆନ୍ଧ୍ରପ୍ରଦେଶରେ ବି ପ୍ରବଳ ବର୍ଷା ଲାଗି ରହିଛି। କ୍ରୀଷ୍ଣା ନଦୀରେ ଜଳ ସ୍ତର ବଢ଼ୁଥିବାରୁ ୨ ଟି ଜିଲ୍ଲା ଅଧୀନରେ ଥିବା ପ୍ରାୟ ୮୭ଟି ଗ୍ରାମ ଏବଂ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଛି। ଆନ୍ଧ୍ରପ୍ର‌ଦେଶରେ ପ୍ରବଳ ବର୍ଷା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁଇଟି ଜିଲ୍ଲାର ପ୍ରାୟ ୧୨ ହଜାର ଲୋକଙ୍କୁ ୫୬ଟି ରିଲିଫ୍‌ ଶିବିରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନନ୍ଦନ କ୍ରୀଷ୍ଣା ନଦୀ ନିକଟସ୍ଥ ବନ୍ୟା ପ୍ରବଣ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି।

ପଂଜାବରେ ଆଜି ଲୁଧିଆନା, ଅମୃତସର, ମୋହାଲି ଏବଂ ଚଣ୍ଡିଗଡ଼ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ପଂଜାବରେ ପ୍ରବଳ ବର୍ଷା ଯୋଗୁଁ ଭକ୍ରା ଡ୍ୟାମ୍‌ରୁ ଅତ୍ୟଧିକ ଜଳ ନିଷ୍କାସନ କରାଯାଉଛି। ସୁତଲେଜ୍‌ ନଦୀ ନିକଟସ୍ଥ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି। ରାଜସ୍ଥାନରେ ମଧ୍ୟ ରେଡ ଆଲର୍ଟ ଜାରି ହୋଇଛି। ଅାଜମେର, ଯୋଧପୁର, ବିକାନେର, ଭିଲୱାଡ଼ା ଏବଂ ସିକର୍‌ରୁ ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର