ନୂଆଦିଲ୍ଲୀ : ସାଉଦି ଆରବର ସର୍ବବୃହତ୍ ତେଲ କମ୍ପାନି ସାଉଦି ଆରାମ୍କୋର ୨ଟି ଉତ୍ପାଦନ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ। ନିକଟରେ ପାକିସ୍ତାନ ସୀମା ଦେଇ ପଞ୍ଜାବରେ ଆକାଶ ମାର୍ଗରୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଡ଼ିବା ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ଦେଶର ଗୁରୁତ୍ବପୂର୍ଣ୍ଣ ସାମରିକ, ଆର୍ଥିକ ପ୍ରତିଷ୍ଠାନ ଏବଂ ସଭାସମିତିଗୁଡ଼ିକ ଆଗାମୀ ଦିନରେ ଯେଭଳି ଡ୍ରୋନ୍ ଆକ୍ରମଣରୁ ସୁରକ୍ଷିତ ରହିବ ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ‘ସ୍କାଏ ଫେନ୍ସ, ‘ଡ୍ରୋନ୍ ଗନ୍’, ‘ଆଥେନା’, ‘ଡ୍ରୋନ୍ କ୍ୟାଚର’ ଏବଂ ‘ସ୍କାଏୱାଲ ୧୦୦’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗ କରି ଆକାଶରେ ସନ୍ଦିଗ୍ଧ ଡ୍ରୋନର ଉଡ଼ାଣ ଏବଂ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ଏଜେନ୍ସି ଗୁଡ଼ିକ ଯୋଜନା ଚଳାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ଏବେ ପ୍ରାୟ ୬ ଲକ୍ଷ ଡ୍ରୋନ୍ ରହିଛି। ଏଗୁଡ଼ିକ ଆକାଶରେ ଅନିୟନ୍ତ୍ରିତ ଭାବେ ଉଡ଼ୁଛି। ତେଣୁ ଆକାଶରେ ଅନିୟନ୍ତ୍ରିତ ଭାବେ ଉଡ଼ୁଥିବା ଡ୍ରୋନ, ମାନବବିହୀନ ଯାନ, ରିମୋଟ୍ରେ ପରିଚାଳିତ ବିମାନଗୁଡ଼ିକ ଦେଶର ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରତିଷ୍ଠାନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତାରେ ପଡ଼ିଗଲେଣି। ତେଣୁ ଡ୍ରୋନ୍ ଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଲାଗି ପଡ଼ିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତାର ବିଷୟ ହେଲା, କୌଣସି ଦୁଷ୍ଟ ଶକ୍ତି ଦ୍ବାରା ମନ୍ଦ ଉଦ୍ଦେଶ୍ୟ ରଖି ଯଦି କିଛି କରାଯାଏ ତା’ହେଲେ ଏହା ଦେଶ ପ୍ରତି ବଡ଼ ଧରଣର ବିପଦ ଆଣିପାରେ। ଡ୍ରୋନ୍ ଆକ୍ରମଣକୁ ରୋକିବା ପାଇଁ ଉପଲବ୍ଧ ପ୍ରଯୁକ୍ତି ମଧ୍ୟରେ ଡ୍ରୋନ୍ ଗନ୍ ଗୋଟିଏ। ଡ୍ରୋନ୍ ଏବଂ ରିମୋଟ୍ ଚାଲକଙ୍କ ମଧ୍ୟରେ ସିଗ୍ନାଲକୁ ଏହି ପ୍ରଯୁକ୍ତି ବନ୍ଦ କରି ଦେଇପାରିବ। ଫଳରେ ଡ୍ରୋନ୍ ତାହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି କୌଣସି କ୍ଷୟକ୍ଷତି ଘଟାଇବା ପୂର୍ବରୁ ତଳକୁ ଖସି ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ଏହି ପ୍ରଯୁକ୍ତି ବିକଶିତ କରାଯାଇଛି। ୨ କିମି ଦୂରତା ମଧ୍ୟରେ ଏହି ପ୍ରଯୁକ୍ତି ତାହାର କାର୍ଯ୍ୟ ସାଧନ କରିପାରିବ ବୋଲି କୁହାଯାଇଛି। ଘାତକ ଡ୍ରୋନକୁ ବାଧା ଦେବାର ଅନ୍ୟ ଏକ ପ୍ରଯୁକ୍ତି ହେଉଛି ସ୍କାଏ ଫେନ୍ସ ବ୍ୟବସ୍ଥା। ସିଗ୍ନାଲ୍ରେ ବ୍ୟାଘାତ ଆଣି ଡ୍ରୋନ୍ର ଚଳାଚଳ ପଥକୁ ଏହି ପ୍ରଯୁକ୍ତି ବନ୍ଦ କରି ଦେଇ ସଂପୃକ୍ତ ଡ୍ରୋନକୁ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦେଇ ନଥାଏ।
ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ଡ୍ରୋନ ଆକ୍ରମଣ ପ୍ରତିହତ ପ୍ରଯୁକ୍ତି ଉପରେ ହରିୟାଣା ଭୋଣ୍ଡସିସ୍ଥିତ ବିଏସ୍ଏଫ୍ କ୍ୟାମ୍ପ୍ରେ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ୍ରୋନକୁ ନଷ୍ଟ କରି ପାରୁଥିବା ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ ପ୍ରଥମ ଥର ପାଇଁ କରାଯାଇଛି। ଭାରତର ବିଇଏମଏଲ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଭଳି କମ୍ପାନି ଡ୍ରୋନକୁ ଅଟକାଇବା ପାଇଁ ବିକାଶ କରିଥିବା ପ୍ରଯୁକ୍ତିର ପ୍ରଦର୍ଶନ ଏଠାରେ କରିଥିଲେ। ଭାରତୀୟ ବାୟୁସେନା, ବିମାନ ବନ୍ଦର ଜଗାରଖା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ, ବେସାମରିକ ବିମାନ ଚଳାଚଳ ବିଭାଗର ମହାନିର୍ଦ୍ଦେଶାଳୟ ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ।