ପୂର୍ବତନ ପାକ୍ ରାଷ୍ଟ୍ରପତି ମୁସାରଫଙ୍କ ପରଲୋକ

କାରଗିଲ ଯୁଦ୍ଧର ଖଳନାୟକ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସାମରିକ ଶାସକ ପରଭେଜ ମୁସାରଫଙ୍କର ଦୁବାଇସ୍ଥିତ ଏକ ଆମେରିକୀୟ ହସ୍ପିଟାଲରେ ରବିବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। କାରଗିଲ ଯୁଦ୍ଧର ଖଳନାୟକ ରୂପେ ପରିଚିତ ମୁସାରଫଙ୍କର ଆମିଲଏଡୋସିସ୍ ନାମକ ବିରଳ ରୋଗ କାରଣରୁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଅଚଳ ହୋଇପଡ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଚାଲିଥିଲା। ଏହାପରେ ସେ ଦୀର୍ଘ ୮ ବର୍ଷ ହେଲା ଦୁବାଇରେ ନିର୍ବାସିତ ଜୀବନଯାପନ କରୁଥିଲେ।

କାରଗିଲ ଯୁଦ୍ଧର ଖଳନାୟକ ଜେନେରାଲ ମୁସାରଫ ୧୯୯୯ରେ ସାମରିକ ବିଦ୍ରୋହ କରି କ୍ଷମତା ଦଖଲ କରିଥିଲେ। ସେନା ସହଯୋଗରେ ନିଜକୁ ରାଷ୍ଟ୍ରପତି ଭାବେ ଅଧିଷ୍ଠିତ କରାଇଥିଲେ। ପରବର୍ତ୍ତୀ ୭ ବର୍ଷ ଯାଏ ପାକିସ୍ତାନରେ ଗଣତାନ୍ତ୍ରିକ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।

୧୯୪୩ରେ ପୁରୁଣା ଦିଲ୍ଲୀରେ ଜନ୍ମିତ ମୁସାରଫ ଭାରତ ବିଭାଜନ ବେଳେ ମାତାପିତାଙ୍କ ସହ ନବଗଠିତ ପାକିସ୍ତାନକୁ ଚାଲିଯାଇଥିଲେ। ୧୮ ବର୍ଷ ବୟସରେ ପାକିସ୍ତାନ ସେନାରେ ଯୋଗ ଦେଇ ଏକ କମାଣ୍ଡୋ ୟୁନିଟର ନେତୃତ୍ବ ନେଇଥିଲେ। ୧୯୯୯ରେ କାଶ୍ମୀର ପାଇଁ ଭାରତ ସହ ଯୁଦ୍ଧ କରିବାକୁ ସେନାଧ୍ୟକ୍ଷ ମୁସାରଫ ସେନାକୁ କାରଗିଲ ପଠାଇଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ସହ ସେ ଏବିଷୟରେ ଆଲୋଚନା କରିନଥିଲେ । ତେଣୁ ମୁସାରଫଙ୍କୁ ହଟାଇବା ଲାଗି ନୱାଜ ସରିଫ ଯୋଜନା କରୁଥିବା ବେଳେ ସେନା ମୁସାରଫଙ୍କୁ ସମର୍ଥନ କରିଥିଲା। ସାମରିକ ବିଦ୍ରୋହ ଜରିଆରେ ସରିଫଙ୍କୁ ହଟାଇ ମୁସାରଫ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ।

Outlook India

ତେବେ ୨୦୦୭ରେ ମୁସାରଫ ଅସାମ୍ବିଧାନିକ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନ ବିଚାରପତି ଇଫତିଆର ମହମ୍ମଦ ଚୌଧରୀଙ୍କୁ ନିଲମ୍ବିତ କରି ଏକ ବିରାଟ ରାଜନୈତିକ ପ୍ରତିବାଦକୁ ଆମନ୍ତ୍ରଣ କରିଥିଲେ, ଯାହା ତାଙ୍କ ସାମରିକ ଶାସନକୁ ଦୁର୍ବଳ କରିଦେଇଥିଲା। ତା’ ପରବର୍ଷ ନିର୍ବାଚନ ହେଲା ଏବଂ ୨୦୦୮ ଅଗଷ୍ଟ ମାସରେ ରାଜନୈତିକ ଦଳଗୁଡ଼ିକ ମୁସାରଫଙ୍କୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ଚାପ ପକାଇଥିଲେ।

କ୍ଷମତାଚ୍ୟୁତ ହେବାପରେ ତାଙ୍କୁ ବନ୍ଦୀ କରାଯାଇଥିଲା। ବିଚାରପତିମାନଙ୍କୁ ବିନା ଦୋଷରେ ଗିରଫ କରିବା ଅଭିଯୋଗରେ ମୁସାରଫଙ୍କୁ ଗିରଫ କରାଯାଇଥିଲା। ଗୃହବନ୍ଦୀ ଥିବା ସମୟରେ ତାଙ୍କୁ ଅନେକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସମ୍ବିଧାନର ଅବମାନନା କରିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଦେଶ ଛାଡ଼ି ଯିବାପାଇଁ ଅନୁମତି ଦିଆଯାଉ ନ ଥିଲା। କିନ୍ତୁ ୨୦୧୬ ମାର୍ଚ୍ଚ ମାସରେ ତାଙ୍କୁ ଦୁବାଇ ଯିବାକୁ ଅନୁମତି ଦିଆଗଲା।

ଡିସେମ୍ବର ୨୦୧୯ରେ ଏକ ସ୍ବତନ୍ତ୍ର କୋର୍ଟ ୨୦୦୭ରେ ପାକିସ୍ତାନ ସମ୍ବିଧାନକୁ ନିଲମ୍ବିତ କରିବା ଅଭିଯୋଗରେ ମୁସାରଫଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ପାକିସ୍ତାନର ଦୁବାଇ ସହ ପ୍ରତ୍ୟର୍ପଣ ଚୁକ୍ତି ନ ଥିବାରୁ ଏହା କେବଳ ଆଦେଶରେ ସୀମିତ ରହିଲା। ପରେ ୨୦୨୦ ଜାନୁଆରିରେ ଲାହୋର ହାଇକୋର୍ଟରେ ଚାଲେଞ୍ଜ କରି ମୁସାରଫ ଏହି ମୃତ୍ୟୁ ଦଣ୍ଡାଦେଶକୁ ନାକଚ କରାଇବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର