ପ୍ରବାସୀ ଶ୍ରମିକଙ୍କୁ ୨ ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ମିଳିବ, ୬୭ କୋଟି ଲୋକଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନକାର୍ଡ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନାର ଘୋଷଣା କରିଛନ୍ତି ।

ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା  ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ ।

ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ପଡ଼ିବ । ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ । ଏହି ସ୍କିମ ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ ।

ଏହା ଛଡ଼ା ୨୩ଟି ରାଜ୍ୟରେ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବେ । ଏହାର ଅର୍ଥ ହେଉଛି ସେମାନେ ଦେଶର ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସେମାନେ ଖାଦ୍ୟଶସ୍ୟ ପାଇପାରିବେ । ଅଗଷ୍ଟ ସୁଦ୍ଧା ଦେଶରେ ୮୩ ପ୍ରତିଶତ ହିତାଧିକାରୀ ବା ୬୭ କୋଟି ହିତାଧିକାରୀ ଏହାର ଲାଭ ଉଠାଇପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ବର୍ଗ ଲାଗି କି କି ସହାୟତା ଦେଉଛନ୍ତି ତାହା ପ୍ରକାଶ କରୁଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ ଅର୍ଥମନ୍ତ୍ରୀ କରିଥିବା ଘୋଷଣା ମଧ୍ୟରେ ରହିଛି-

-ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ କୃଷି ପାଇଁ ରହିଛି ୮୬, ୬୦୦ କୋଟି ଟଙ୍କା।

-ଏପ୍ରିଲ ୩୦ ପର୍ଯ୍ୟନ୍ତ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି।

-୩ କୋଟି ଚାଷୀଙ୍କୁ ଶସ୍ତାରେ ଲୋନ ଦିଆଯିବ।

– ୨୫ ଲକ୍ଷ ନୂଆ ଚାଷୀଙ୍କୁ କିଷାନ କାର୍ଡ ଦିଆଯିବ।

-ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କା ଘୋଷଣା।

-ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ। ମୋଟ ୫୦ ଲକ୍ଷ ଦୋକାନୀ ଲାଭବାନ ହେବେ।

-ମାଗଣା ରାସନ ପାଇଁ ୩୫୦୦ କୋଟି ଘୋଷଣା। ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମିଳିବ ଫାଇଦା। ୫ କିଲୋ ଚାଉଳ, ୫ କିଲୋ ଗହମ ଏବଂ ୧ କିଲୋ ଡାଲି ମାଗଣାରେ କେନ୍ଦ୍ର ସରକାର ଯୋଗାଇ ଦେବେ।

-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ସହରାଞ୍ଚଳରେ ରହିବା ପାଇଁ ସୁଲଭ ମୂଲ୍ୟରେ ମିଳିବ ଘର । ପିପିପି ଜରିଆରେ କମ୍ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର।

ସମ୍ବନ୍ଧିତ ଖବର