ଚା’ବିକାଳିରୁ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ପ୍ରମାଣ କରିଛନ୍ତି ଭାରତରେ ସବୁ ପରିବର୍ତ୍ତନ ସମ୍ଭବ: ଇଭାଙ୍କା

ଉଦ୍‌ଘାଟିତ ହେଲା ଜିଇଏସ୍‌- ୨୦୧୭

ହାଇଦ୍ରାବାଦ: ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗପତି ସମ୍ମିଳନୀ- ୨୦୧୭ (ଜିଇଏସ୍‌)ର ଅଷ୍ଟମ ସଂସ୍କରଣକୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପଦେଷ୍ଟା ତଥା କନ୍ୟା ଇଭାଙ୍କା ଟ୍ରମ୍ପ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ନିଜ ଅଭିଭାଷଣ ପ୍ରଦାନ କରି ଇଭାଙ୍କା ଟ୍ରମ୍ପ ସମଗ୍ର ବିଶ୍ୱରେ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ ଦ୍ରୁତ ଅର୍ଥନୈତିକ ବିକାଶ ହାସଲ କରି ଚାଲିଥିବାରୁ ଭାରତର ଭୂରିଭୂରି ପ୍ରଶଂସା କରିଛନ୍ତି। ଭାରତର ମହାକାଶ ଯାନ ଏବେ ଚନ୍ଦ୍ର ଠାରୁ ମଙ୍ଗଳ ପର୍ଯ୍ୟନ୍ତ ପହଞ୍ଚି ଭାରତୀୟ ଦକ୍ଷତାର ପ୍ରମାଣ ଦେଉଛି। ନିଜର ସର୍ଜନାତ୍ମକ କାର୍ଯ୍ୟ ପାଇଁ ଭାରତୀୟମାନେ ଏବେ ଅନ୍ୟ ବିଶ୍ୱବାସୀଙ୍କୁ ସବୁ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳ ନେତୃତ୍ୱରେ ଭାରତ ଗୋଟିକ ପରେ ଗୋଟିଏ ସଫଳତାର ଚିଢ଼ି ଚଢ଼ି ଚାଲିଥିବାରୁ ସେ ଏହି ଅବସରରେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସାରେ ଶତମୁଖ ଇଭାଙ୍କା ଅତ୍ୟନ୍ତ ଭାବବିହ୍ଵଳ ଭାବେ ମୋଦିଙ୍କୁ ନିଜ ଅଭିଭାଷଣରେ ସମ୍ବୋଧିତ କରି କହିଥିଲେ, ‘ଆପଣ ପିଲାଦିନେ ଚା’ବିକାଳିରୁ ନିଜ ଜୀବନ ଆରମ୍ଭ କରି ପରବର୍ତ୍ତୀ କାଳରେ ଯେପରି ଭାବେ ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କଲେ, ସେଥିରେ ଆପଣ ପ୍ରମାଣ କରିଦେଇଛନ୍ତି ଯେ ବ୍ୟକ୍ତିର ଜୀବନରେ ସଂପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ସମ୍ଭବ।’ଏହି ଅବସରରେ ଇଭାଙ୍କା କହିଥିଲେ ଯେ ଆଗାମୀ ଦିନରେ ଭାରତ ଉଦ୍ଭାବନର ପେଣ୍ଠ (ହବ୍‌) ହେବ।

HT

ଏଥିସହ, ଜିଇଏସ୍‌-୨୦୧୭ରେ ଚଳିତ ବର୍ଷର ବିଷୟବସ୍ତୁ ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ଏବଂ ପ୍ରଥମ ଥର ଲାଗି ଏଥିରେ ସର୍ବାଧିକ ୫୨.୨ ପ୍ରତିଶତ ମହିଳା ଅଂଶଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସେ ଜଣେ ଯୁବ ମହିଳା ଶିଳ୍ପଦ୍ୟୋଗୀ ଭାବେ ଏଥିରେ ଅଂଶ ଗ୍ରହଣ କରିବା ସହ ଏହାକୁ ଉଦଘାଟନ କରିବା ପାଇଁ ସୁଯୋଗ ପାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଇଭାଙ୍କା ତାଙ୍କ ଅଭିଭାଷଣରେ କହିଥିଲେ ଯେ ମହିଳାମାନଙ୍କ ସଶକ୍ତୀକରଣ ହେଲେ ହିଁ ଯାଇ ପରିବାର, ଅର୍ଥନୀତି ଓ ସମାଜ ସଶକ୍ତ ହେବା ସହ ପ୍ରଭାବଶାଳୀ ହୋଇପାରିବ।

ସମ୍ମିଳନୀରେ ନିଜ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ ଭାରତରେ ମହିଳାମାନଙ୍କର ସ୍ଥାନ ସ୍ୱତନ୍ତ୍ର। ଭାରତୀୟ ପରମ୍ପରାରେ ମହିଳାଙ୍କୁ ଶକ୍ତି ରୂପେ ପୂଜା କରାଯାଇଥାଏ। ଭାରତୀୟ ମହିଳାମାନେ ଯେ କୌଣସି ଗୁଣରେ ବା କୌଣସି କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ କମ୍‌ ନୁହନ୍ତି ଏହାର ବହୁ ପ୍ରମାଣ ଇତିହାସ ପୃଷ୍ଠାରେ ରହିଛି। ଭାରାତୀୟ ସମାଜରେ ମହିଳାମାନେ ସେମାନଙ୍କର ପାରଦର୍ଶିତା ସବୁ କ୍ଷେତ୍ରରେ ପ୍ରତିପାଦିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ବିଷୟବସ୍ତୁ ଉପରେ ଚଳିତ ବର୍ଷ ଜିଇଏସ୍‌-୨୦୧୭ ଭାରତରେ ଆୟୋଜିତ ହେବା ଅତ୍ୟନ୍ତ ଗୌରବର ବିଷୟ ବୋଲି ଭାରତରେ ନିବେଶ କରିବା ପାଇଁ ନିବେଶକମାନଙ୍କୁ ଆହ୍ଵାନ ଦେଇଥିଲେ।

ଆମେରିକା ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଇଏସ୍‌ର ଏହି ଅଷ୍ଟମ ସଂସ୍କରଣକୁ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧୨୭ଟି ଦେଶରୁ ୧୨୦୦ ଉଦ୍ୟୋଗୀ, ନିବେଶକ ଏବଂ ସହଯୋଗୀମାନେ ଯୋଗଦେଇଛନ୍ତି। ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର