ଗଡ଼କରୀଙ୍କ ଟାର୍ଗେଟରେ ମୋଦୀ, ଶାହ

ପରାଜୟ ପାଇଁ ଦୋଷ ସ୍ବୀକାର କରନ୍ତୁ

ନୂଆଦିଲ୍ଲୀ: ନିକଟରେ ୫ଟି ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବିଜେପି ଆଭ୍ୟନ୍ତରୀଣ କନ୍ଦଳରେ ଫସିଯାଇଛି। ପାର୍ଟିର କମାଣ୍ଡ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସଭାପତି ଅମିତ ଶାହଙ୍କ ବିରୋଧରେ ଅସନ୍ତୋଷ ‌େତଜିଲାଣି। ଗତକିଛି ଦିନ ଧରି ପାର୍ଟିର ପୂର୍ବତନ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କ କଥାରୁ ଏଭଳି ଆଭାସ ମିଳୁଛି। ମୋଦୀ କିମ୍ବା ଶାହଙ୍କ ନାମ ନନେଇ ସେମାନଙ୍କ ଉପରେ ବର୍ଷୁଛନ୍ତି। ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ସେ ଏହି ନେତାଙ୍କୁ ଦାୟୀ କରିଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ବେଳେ ନକରାତ୍ମକ ପ୍ରଚାରକୁ ନାପସନ୍ଦ କରିବା ସହିିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ପ୍ରଶଂସା କରିବାକୁ ଭୁଲି ନାହାନ୍ତି।
ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସର‌େର ଗଡ଼କରୀ ମୋଦୀ ଏବଂ ଶାହଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ ନିର୍ବାଚନରେ ସାଂସଦ ଓ ବିଧାୟକ ଖରାପ ପ୍ରଦର୍ଶନ କଲେ ଦଳୀୟ ମୁଖ୍ୟମାନେ ହିଁ ଉତ୍ତରଦାୟୀ। ‌ସେମାନେ କୌଣସି ସଙ୍କୋଚ ନକରି ଏହା ସ୍ବୀକାର କରିନେବା ଆବଶ୍ୟକ। ନିର୍ବାଚନରେ ଦଳ ସଫଳତା ପାଇବା ପରେ ଏହାକୁ ଦଳୀୟ ମୁଖ୍ୟମାନେ ପରସ୍ପରକୁ ଏହାର ଶ୍ରେୟ ଦେଇଥାନ୍ତି। କିନ୍ତୁ ସେମାନଙ୍କ ଦୁର୍ବଳ ନେତୃତ୍ବ ଯୋଗଁୁ ଦଳ ପରାଜିତ ହେଲେ ଏଥିପାଇଁ କେହି ନିଜକୁ ଉତ୍ତରଦାୟୀ କରୁନାହାନ୍ତି।
ନିକଟରେ ଅନୁଷ୍ଠିତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳକୁ ଆଖିରେ ରଖି ଗଡ଼କରୀ ଏହା କିହଥିବା କୁହାଯାଉଛି। ସେ କହିଲେ, ଦଳର ମୁଖ୍ୟ ଭାବେ ସାଂସଦ ଓ ବିଧାୟକଙ୍କ ଖରାପ ପ୍ରଦର୍ଶନ ପାଇଁ ନିଜ ମୁଣ୍ଡରେ ଦୋଷ ନେବାକୁ ପଡ଼ିବ। ଏହା ନକେଲ ଜଣେ ମୁଖ୍ୟ ବିବେଚିତ ହୋଇପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ନିର୍ବାଚନରେ ବିଜେପି ବିଜୟ ହାସଲ କରିବା ପରେ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଏବଂ ମୋଦୀ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି। ସଫଳତା ପାଇଁ ପରସ୍ପରକୁ ଏହାର ଶ୍ରେୟ ଦେଇଥାନ୍ତି। କିନ୍ତୁ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏହି ଦୁଇ ନେତା ବିଫଳତା ପାଇଁ ନିଜ ଉପରେ କି ପରସ୍ପରକୁ ଦୋଷାରୋପ କରିନାହାନ୍ତି। ତେଣୁ ଗଡ଼କରୀ ଏମାନଙ୍କୁ ଲକ୍ଷ୍ୟରେ ରଖି ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ କିଛି ଦିନ ତ‌ଳେ ଗଡ଼କରୀ କହିଥିଲେ ଯେ ସଫଳତାର ଅନେକ ପିତାଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ଅସଫଳତା ସମ୍ପୂର୍ଣ୍ଣ ଅନାଥ ହୋଇଯାଏ। ସଫଳତାର ଶ୍ରେୟ ନେବା ଭଳି ବିଫଳତାର ଦୋଷ ମୁଣ୍ଡାଇବା ଦଳୀୟ ମୁଖ୍ୟଙ୍କ ଦାୟିତ୍ବ।
ଆଜିର କାର୍ଯ୍ୟକ୍ରମରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପ୍ରଶଂସାରେ‌ ପୋତି ପକାଇଥିଲେ ଗଡ଼କରୀ। ସେ କହିଲେ, ‘ନେହରୁ ସର୍ବଦା ନିକ କାମ ଉପରେ ଧ୍ୟାନ ଦେଉଥିଲେ ଏବଂ ଚାଲେଞ୍ଜର କିପରି ସାମନା କରାଯିବ ତା ଉପରେ ଚିନ୍ତା କରୁଥିଲେ। ବ୍ୟକ୍ତି ନୁହେଁ, ବିଚାରଧାରାକୁ ସେ ଗୁରୁତ୍ବ ଦେଉଥିଲେ। ସେ କେବେହେଲେ କାହାରି ଚରିତ୍ର ସଂହାର କରୁନଥିଲେ।’
ଗତ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ସଭାପତି ରାହୁଲ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ ଯେପରି ମନ୍ତବ୍ୟ ଦେଉଥିଲେ ତାହାକୁ ନାପସନ୍ଦ କରିବାକୁ ଯାଇ ଗଡ଼କାରୀ ଏଭଳି ପ୍ରତିକ୍ରିୟା ରଖିଥିବା କୁହାଯାଉଛି। ନିର୍ବ‌ାଚନ ବେଳେ ନେହରୁଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ମୋଦୀ। ଦେଶର ଅନେକ ସାଂପ୍ରତିକ ସମସ୍ୟା ପାଇଁ ସେ ନେହରୁଙ୍କୁ ଦାୟୀ କରିଥିଲେ।
ଗଡ଼କାରୀ ଆଜି ସହିଷ୍ଣୁତା କଥା ମଧ୍ୟ କହିଥିଲେ। ସେ କହିଥିଲେ ଯେ ସହିଷ୍ଣୁତାକୁ ‌େନଇ ଭାରତର ଯେଉଁ ସଂସ୍କୃତି ରହିଛି ତାହାର ସମ୍ମାନ କରାଯିବା ଉଚିତ। ବଡ଼ ଓ ଗୁରୁତ୍ବପୂର୍ଣ୍ଣ ପଦରେ ଆସୀନ ବ୍ୟକ୍ତି ମଧ୍ୟରେ ବିନମ୍ରତା ଓ ଶାଳୀନତା ରହିବା ଦରକାର।
କେବଳ ଗଡ଼କରୀ ନୁହନ୍ତି, ଏହାପୂର୍ବରୁ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ‌େମାଦୀ ଓ ଶାହଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ। କଂଗ୍ରେସମୁକ୍ତ ଭାରତ ଗଠନ ଲାଗି ସେମାନଙ୍କ ଆହ୍ବାନକୁ ଭାଗବତ ବିରୋଧ କରିଥିଲେ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲେ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର