ସବୁ ଜିଲ୍ଲାରେ ବୁଲିବ ଗାନ୍ଧୀ ଜ୍ୟୋତି

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକ ଉପଲକ୍ଷେ ଓଡ଼ିଶା ଗାନ୍ଧୀବାଦି ଫୋରମ୍‌ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗାନ୍ଧୀ ସଦ୍‌ଭାବନା ଜ୍ୟୋତି ଯାତ୍ରା ଅକ୍ଟୋବର ୨ରେ ଆୟୋଜନ କରାଯାଉଛି। ଏହି ଅବସରରେ ଆଜି ଦିଲ୍ଲୀ ସ୍ଥିତ ରାଜଘାଟରେ ଗାନ୍ଧୀ ସମାଧୀ ସ୍ଥଳରେ ଗାନ୍ଧୀ ଜ୍ୟୋତି ହସ୍ତାନ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ ଓଡ଼ିଶା ଗାନ୍ଧୀବାଦୀ ଫୋରମ୍‌କୁ ଗାନ୍ଧୀଜ୍ୟୋତି ହସ୍ତାନ୍ତର କରିଥିଲେ। ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ଗାନ୍ଧୀ ଶାନ୍ତି ସଦ୍‌ଭାବନା ଜ୍ୟୋତି ଯାତ୍ରା ଆୟୋଜନ କରିବେ। ଆସନ୍ତାକାଲି ଗାନ୍ଧୀଜ୍ୟୋତି ଓ ରାଜଘାଟରୁ ମାଟି ସଂଗ୍ରହ ହୋଇଥିବା କଳସ ଭୁବନେଶ୍ବରରେ ପହଞ୍ଚିବାପରେ ଏହାକୁ ସ୍ବରାଜ୍ୟ ଆଶ୍ରମରେ ରଖାଯିବ। ଅକ୍ଟୋବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜ୍ୟୋତି ରଥର ଶୁଭାରମ୍ଭ କରିବେ। ୩୦ଟି ଜିଲ୍ଲା ପରିକ୍ରମା କରି ଗାନ୍ଧୀ ଜ୍ୟୋତି ରଥ ନଭେମ୍ବର ୬ରେ ସ୍ବରାଜ୍ୟ ଆଶ୍ରମକୁ ଫେରି ଆସିବ। ମହାତ୍ମା ଗାନ୍ଧୀଙ୍କ ନାତୁଣୀଙ୍କଠାରୁ ଗାନ୍ଧୀଜ୍ୟୋତି ଗ୍ରହଣ କରିବା ସମୟରେ ଓଡ଼ିଶା ଗାନ୍ଧୀବାଦୀ ଫୋରମ୍‌ର ଅଧ୍ୟକ୍ଷା ରୀନା ରାଉତରାୟ, ଟ୍ରଷ୍ଟି ଜ୍ଞାନରଂଜନ ସାମନ୍ତରାୟ, ବିଶ୍ବଜିତ ସୂର୍ଯ୍ୟବଂଶୀ ଏବଂ ଭାରତୀୟ ନିର୍ବାଚନ କମିସନ୍‌ର ବରି‌ଷ୍ଠ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର