ହାଇଦ୍ରାବାଦରେ ବିଜେପିର ଦମଦାର ବିଜୟ!

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ​ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ୨୦୧୬ ନିର୍ବାଚନ ତୁଳନାରେ ବିଜେପି ଏଥର ଭଲ ଫଳାଫଳ କରିଛି | ଟିଆରଏସ ପାର୍ଟି ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ଵିତୀୟରେ ବିଜେପି ଓ ତୃତୀୟରେ ଏଆଇଏମଆଇଏମ ରହିଛି | ବର୍ତ୍ତମାନ ସୁଦ୍ଧା ୧୫୦ଟି ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ଘୋଷଣା ହୋଇଥିବାବେଳେ ଟିଆରଏସ ୫୬ ଟି ଆସନ ଜିତିଛି। ଏଥି ସହିତ ଏଆଇଏମଆଇଏମ ୪୨ ଟି ସିଟ୍ ଏବଂ ବିଜେପି ୪୬ଟି ସିଟ୍ ଜିତିଛି |

ତେବେ କଂଗ୍ରେସ ମାତ୍ର ୨ଟି ଆସନ ପାଇଛି । ବଡ କଥା ଯେ ୨୦୧୬ ମସିହାରେ ହୋଇଥିବା ନିର୍ବାଚନରେ ୧୫୦ଟି ଆସନରୁ ଟିଆରଏସ ୯୯ଟି ୱାର୍ଡ ଜିତିଥିବାବେଳେ ଏଆଇଏମଏମ ୪୪ଟି ୱାର୍ଡରେ ଜିତିଥିଲା | ସେହିପରି ବିଜେପି ମାତ୍ର ୩ଟି ଆସନ ଜିତିଥିବାବେଳେ କଂଗ୍ରେସ ୨ଟି ୱାର୍ଡ ହିଁ ଜିତିଥିଲା | ତେବେ ଏଥର ଚିତ୍ର କିଛି ଅଲଗା ହୋଇଛି |

ଟିଆରଏସର କିଛି ଆସନ ହ୍ରାସ ପାଇଥିବାବେଳେ ବିଜେପି ଏଥର ଭଲ ଫଳାଫଳ ହାସଲ କରିଛି | ଆଉ ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଟିଆରଏସ ନେତା ତଥା ମନ୍ତ୍ରୀ କେ.ଟି ରାମରାଓ | ସେ କହିଛନ୍ତି ଯେ, ‘ଫଳାଫଳ ଯାହା ଆଶା କରୁଥିଲୁ ସେଥିରେ ଫରକ ଆସିଛି | ଆମେ ଗତଥର ଅପେକ୍ଷା ୨୦ରୁ ୨୫ଟି ଆସନ କମ ପାଇଛୁ ‘| ଅନ୍ୟପଟେ ହାଇଦ୍ରାବାଦରେ ବିଜେପିର ଏହି ବିଜୟକୁ ନେଇ ହାଇଦ୍ରାବାଦବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା |

ସମ୍ବନ୍ଧିତ ଖବର