ସ୍କୁଲ ପରିଚାଳକ ଓ ଶିକ୍ଷକଙ୍କ ଦ୍ବାରା ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଜୟପୁର : ରାଜସ୍ଥାନର ଅଲୱାର ଜିଲ୍ଲାର ଜଣେ ୧୩ ବର୍ଷୀୟା ନାବାଳିକା ଛାତ୍ରୀ ସେହି ସ୍କୁଲର ପରିଚାଳକ, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ବାରା ଦୀର୍ଘଦିନ ଧରି ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି। ନାବାଳିକାର ପରିବାର ପକ୍ଷରୁ ନାରାୟଣପୁର ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ପୁଲିସର କହିବା ଅନୁଯା‌ୟୀ, ଗତ ବର୍ଷେ ତଳୁ ସ୍କୁଲର ପରିଚାଳକ, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମା‌ନେ ସମ୍ପୃକ୍ତ ନାବାଳିକା ଛାତ୍ରୀ ସହ ଦୁଷ୍କର୍ମ କରି ଆସୁଥିଲେ। ଦୁଷ୍କର୍ମ ଘଟଣାରେ ସ୍କୁଲର କେତେକ ମହିଳା ଶିକ୍ଷୟିତ୍ରୀ ମଧ୍ୟ ସହଯୋଗ କରି ଆସୁଥିଲେ। ନାରାୟଣପୁର ପୁଲିସ ସ୍କୁଲ ପରିଚାଳକ, ଶିକ୍ଷକଙ୍କ ସମେତ ୩ ଜଣ ମହିଳା ଶିକ୍ଷୟିତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସ୍କୁଲ ପରିଚାଳକ, ଶିକ୍ଷକ, କର୍ମଚାରୀଙ୍କ ସମେତ କିଛି ଗ୍ରାମବାସୀ ମଧ୍ୟ ଏହି ଦୁଷ୍କର୍ମ ମାମଲାରେ ସାମିଲ ଅଛନ୍ତି ବୋଲି ନାବାଳିକାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ନାବାଳିକାର ପରିବାର ପକ୍ଷରୁ ଏତଲା ପାଇବା ପରେ ପୋକ୍‌ସୋ ଆଇନ ଅଧୀନରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ନାରାୟଣପୁର ପୁଲିସ କହିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି। ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର