ମଧ୍ୟପ୍ରଦେଶ : ବାଥ୍‌ରୁମ୍‌ ବାହାରେ ବ୍ୟବହୃତ ପ୍ୟାଡ୍‌ ଦେଖି ହଷ୍ଟେଲ୍‌ର ୪୦ ଛାତ୍ରୀଙ୍କୁ ଯାଞ୍ଚ କଲେ ଓ୍ଵାର୍ଡେନ୍‌

ନୂଆଦିଲ୍ଲୀ: ହଷ୍ଟେଲ୍‌ ପରିସର ମଧ୍ୟରେ ବ୍ୟବହୃତ ସାନିଟାରି ନାପ୍‌କିନ୍‌ ପଡ଼ିଥିବା ଦେଖି ମଧ୍ୟପ୍ରଦେଶର ସାଗର ସହର ଅନ୍ତର୍ଗତ ଏକ ହଷ୍ଟେଲ୍‌ରେ ପ୍ରାୟ ୪୦ ଜଣ ଝିଅଙ୍କୁ ବିବସନା କରାଯାଇ ଯାଞ୍ଚ କରାଯାଇଛି।

ଡକ୍ଟର ହରି ସିଂହ ଗୌର ବିଶ୍ୱବିଦ୍ୟାଳୟସ୍ଥିତ ଏକ ହଷ୍ଟେଲ୍‌ର ଝିଅମାନେ ରବିବାର ଦିନ କୁଳପତିଙ୍କୁ ଫେରାଦ ହୋଇ ଅଭିଯୋଗ ଏ କଥା ଅଭିଯୋଗ କରିଛନ୍ତି। ସେମାନଙ୍କର ଅଭିଯୋଗ: ଏକ ବାଥ୍‌ରୁମ୍‌ ବାହାରେ ବ୍ୟବହୃତ ସାନିଟାରି ପ୍ୟାଡ୍‌ ପଡ଼ିଥିବା ଦେଖିବା ପରେ ହଷ୍ଟେଲ୍‌ର ତତ୍ତ୍ୱାବଧାରକ ଓ ଓ୍ଵାର୍ଡେନ୍‌ ସେମାନଙ୍କର ତଲାସୀ ନେଇଥିଲେ।

କେଉଁ ଝିଅର ସ୍ରାବ ହୋଇଛି ଏବଂ ସେ ଯଥାରୀତି ପ୍ୟାଡ୍‌ଟିକୁ ଫିଙ୍ଗିନାହିଁ- ତାହା ଜାଣିବାକୁ ଓ୍ଵାର୍ଡେନ୍‌ ନିଜ କ୍ଷମତା ବାହାରର ଆଦେଶ ଦେଇଥିଲେ ବୋଲି ସେମାନେ ଅଭିଯୋଗ ବାଢ଼ିଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ବିଶ୍ୱବିଦ୍ୟାଳୟର କୁଳପତି ଆର୍‌ ପି ତିଓ୍ଵାରି ଏ ଘଟଣାକୁ ନିନ୍ଦା କରିବା ସହ ଖୁବ୍‌ ଶୀଘ୍ର ମାମଲାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି: ଏହା ଦୁଃଖଦାୟକ ଏବଂ ନିନ୍ଦନୀୟ। ମୁଁ ଛାତ୍ରୀମାନଙ୍କୁ କହିଛି ଯେ ସେମାନେ ମୋ ଝିଅ ପରି ଏବଂ ତାଙ୍କୁ କ୍ଷମା ଯାଚନା କରିଛି। ଏମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି। ଯଦି ଓ୍ଵାର୍ଡେନ୍‌ଙ୍କର ଭୁଲ୍‌ ଥାଏ, ତାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କିନ୍ତୁ, ଏ ଅଭିଯୋଗକୁ ଉଭୟ ତତ୍ତ୍ୱାବଧାରକ ଏବଂ ଓ୍ଵାର୍ଡେନ୍‌ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର