ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ସାଧୁ କାଳୀଚରଣଙ୍କୁ ଗିରଫ କଲା ରାୟପୁର ପୁଲିସ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ଓ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିବା ସାଧୁ କାଳୀଚରଣ ମହାରାଜଙ୍କୁ ରାୟପୁର ପୁଲିସ ଖଜୁରାଓରୁ ଗିରଫ କରିଛି।

ରାୟପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଶାନ୍ତ ଅଗ୍ରୱାଲ୍‌ କହିଛନ୍ତି, ମଧ୍ୟପ୍ରଦେଶର ଖଜୁରାଓ ଠାରୁ ୨୫ କିଲୋମିଟର ଦୂର ବାଗେଶ୍ବର ଧାମ ନିକଟରେ ଗୋଟାଏ ଭଡ଼ାଘରେ କାଳୀଚରଣ ମହାରାଜ ଅବସ୍ଥାନ କରୁଥିଲେ। ଆଜି ପାହାନ୍ତା ୪ଟା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଧରି ସନ୍ଧ୍ୟା ସୁଦ୍ଧା ପୁଲିସ ଟିମ୍‌ ରାୟପୁରରେ ପହଞ୍ଚିଯିବ।

ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ ରାୟପୁର ଅନ୍ତର୍ଗତ ଟିକ୍ରାପଡ଼ା ଥାନାରେ କରିଥିବା ଅଭିଯୋଗ ଆଧାରରେ କାଳୀଚରଣ ମହାରାଜଙ୍କ ନାମରେ ଏଫ୍‌.ଆଇ.ଆର୍‌. ଫାଇଲ୍‌ କରାଯାଇଥିଲା।

Image Courtesy of Sanatanprabhat

ଆଇ.ପି.ସି. ଧାରା ୫୦୫ (୨) ଏବଂ ୨୯୪ ଅନୁଯାୟୀ କାଳୀଚରଣ ବୁକ୍‌ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ରାୟପୁରସ୍ଥିତ ରାବଣ ଭଟ ପଡ଼ିଆରେ ଅନୁଷ୍ଠିତ ଧର୍ମ ସଂସଦରେ ଉଦ୍‌ବୋଧନ ଦେବା ବେଳେ କାଳୀଚରଣ ଅଭିଯୋଗ କରିଥିଲେ ଯେ, ସଂଖ୍ୟାଲଘୁମାନଙ୍କର ଲକ୍ଷ୍ୟ ହେଲା ରାଜନୀତି ମାଧ୍ୟମରେ ଦେଶକୁ ଅକ୍ତିଆର କରିବା।

ସେ ମଧ୍ୟ କହିଥିଲେ, ଗାନ୍ଧୀଙ୍କୁ ହତ୍ୟା କରିଥିବାରୁ ମୁଁ ନାଥୁରାମ ଗଡ଼ସେଙ୍କୁ ଅଭିବାଦନ ଜଣାଉଛି।

ସମ୍ବନ୍ଧିତ ଖବର