ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି ।

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨୦୨୨-୨୩ ଖରିଫ ଋତୁ ପାଇଁ ସରକାର ୧୭ଟି ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଏମଏସପି ବୃଦ୍ଧି ଦ୍ବାରା କୃଷକଙ୍କ ଆୟ ଆହୁରି ବୃଦ୍ଧି ପାଇବ । ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି ।

ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାଯୋଗୁଁ ଧାନ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି । ମାତ୍ର ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ସାର ମହଙ୍ଗା ହୋଇଛି । ଏହା ଯୋଗୁଁ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଧାନର ଏମଏସପି ବୃଦ୍ଧି କରାଯାଇଥିବା କୁହାଯାଇଛି ।

ସେହିପରି ଜଓ୍ବାର, ମକା, ମୁଗ, ହରଡ, ମାଣ୍ଡିଆ, ଚିନାବାଦାମ, ବିରି ଆଦି ଫସର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର