କେବେ ଆରମ୍ଭ ହେବ ମୋଦିକେୟାର, ଜାଣନ୍ତୁ

ନୂଆଦିଲ୍ଲୀ: ନୂଆ ବଜେଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା(ଏନଏଚପିଏସ) ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଆମେରିକାର ସ୍ୱାସ୍ଥ୍ୟସୁରକ୍ଷା ଯୋଜନା ଓବାମା କେୟାର ଢାଞ୍ଚାରେ ଏହାକୁ ମୋଦିକେୟାର ବୋଲି କୁହାଯାଉଛି । ତେବେ ଏହି ଯୋଜନାର ରୂପରେଖ କଣ ରହିବ ଓ କେବେ ଏହା ଆରମ୍ଭ ହେବ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଯୋଜନା ଆସନ୍ତା ଅଗଷ୍ଟ ୧୫ ବା ଅକ୍ଟୋବର ୨ ତାରିଖରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ସ୍କିମ୍‌ ଏବେ ପ୍ରଚଳିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ବଦଳରେ ଲାଗୁ ହେବ ।

ଏକ ଅକଟଳ ଅନୁସାରେ ଏହି ଯୋଜନା ଲାଗୁ କଲେ ସରକାରଙ୍କ ଉପରେ ପ୍ରତିବର୍ଷ ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟୟଭାର ପଡ଼ିବ । କେବେ ଏହି ପାଣ୍ଠି କେଉଁଠୁ ଆସିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ଏହି ପାଣ୍ଠି କେନ୍ଦ୍ର ସରକାର ସଂପୂର୍ଣ୍ଣ ବହନ କରିବେ କିମ୍ବା ରାଜ୍ୟ ସରକାରମାନଙ୍କ ସହ ମିଳିତଭାବେ ବହନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ନୂଆ ବଜେଟରେ ସାର୍ବଜନିନ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ଦେଶର ପ୍ରାୟ ୧୦ କୋଟି ଗରିବ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ । ଏହା ଦ୍ୱାରା ପ୍ରାୟ ୫୦ କୋଟି ଲୋକ ଉପକୃତ ହେବାର ସମ୍ଭାବନା ରହିଛି । ପ୍ରତି ପରିବାର ପିଛା ପ୍ରିମିୟମ ବାବଦରେ ସରକାରଙ୍କୁ ପ୍ରାୟ ୧୧ଶହ ଟଙ୍କା ଦେବାକୁ ହେବ ।

ସମ୍ବନ୍ଧିତ ଖବର