ଜୁନ ୩୦ ପୂର୍ବରୁ ଅନଲକ ୨.୦ ସଂପର୍କରେ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜୁନ ୩୦ ପୂର୍ବରୁ ଅନଲକ ୨.୦ ସଂପର୍କରେ ଘୋଷଣା କରିପାରନ୍ତି । ଅନଲକ ୨.୦ରେ ସରକାର କେତେକ ସୀମିତ ଅନ୍ତର୍ଜାତୀୟ ରୁଟରେ ବିମାନ ଚଳାଚଳକୁ ଅନୁମତି ଦେଇପାରନ୍ତି ।

ବିଶେଷକରି ନୂଆଦିଲ୍ଲୀ-ନ୍ୟୁୟର୍କ ଓ ମୁମ୍ବାଇ-ନ୍ୟୁୟର୍କ ଫ୍ଲାଇଟ ଚଳାଚଳକୁ ଅନୁମତି ମିଳିପାରେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଉପସାଗରୀୟ ଦେଶଗୁଡ଼ିକୁ ଫ୍ଲାଇଟ ଚଳାଇବାକୁ କେତେକ ଘରୋଇ ବିମାନସେବା କମ୍ପାନିଙ୍କୁ ଅନୁମତି ମିଳିବାର ସମ୍ଭବନା ରହିଛି ।
ତେବେ ସ୍କୁଲ ଓ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନୁମତି ନ ମିଳିବାର ସମ୍ଭାବନା ରହିଛି । କାରଣ ଅଧିକାଂଶ ରାଜ୍ୟ ସରକାର ଏହାକୁ ବିରୋଧ କରୁଛନ୍ତି ।

ଅନଲକ୨.୦ ସଂପର୍କରେ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ମୋଦୀ କହିଥିଲେ ଯେ ଆମକୁ ଅନଲକ ୨.୦ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ ଓ ତାହା ସହିତ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସଂପର୍କରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ।

ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକଡାଉନ ଚାଲିଥିଲେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଆଜି ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୭୩ ହଜାର ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୪୮୯୪ରେ ଓ ଆରୋଗ୍ୟ ସଂଖ୍ୟା ୨.୭୧ ଲକ୍ଷରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର