ନର୍ମଦା ନଦୀ ସଂଯୋଗୀକରଣ ଯୋଜନା ବନ୍ଦ ରଖିବାକୁ କେନ୍ଦ୍ରକୁ ଗୁଜରାଟର ଅନୁରୋଧ

ଅହମଦାବାଦ: ପାର, ତାପି ଓ ନର୍ମଦା ନଦୀର ସଂଯୋଗୀକରଣ ପାଇଁ ୨୦୧୦ରେ ପ୍ରସ୍ତାବ ଦିଆଯିବା ସମୟରୁ ଉକ୍ତ ଅଞ୍ଚଳର ବାସିନ୍ଦାମାନେ ଏହାକୁ ବିରୋଧ କରି ଆସୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ତାଙ୍କ ଭିଟାମାଟିରୁ ସ୍ଥାନାନ୍ତରିତ ହେବାକୁ ପଡ଼ିବ। ତେଣୁ ଗୁଜରାଟ ସରକାର ଏହି ଉଚ୍ଚାଭିଳାଷୀ ଯୋଜନା ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବୋଲି ରାଜ୍ୟ ଜଳସେଚନ ମନ୍ତ୍ରୀ ହୃଷୀକେଶ ପଟେଲ ମଙ୍ଗଳବାର ବିଧାନସଭାରେ କହିଛନ୍ତି।

ସୂଚନାଯୋଗ୍ୟ ଗତ ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ମଦା ଓ ଅନ୍ୟ ନଦୀ ସଂଯୋଗୀକରଣ ଯୋଜନା ବିଷୟରେ ଘୋଷଣା କରିବା ପରେ ଜନଜାତି ଲୋକମାନେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଗୁଜରାଟ ସରକାର ଜନଜାତି ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ନର୍ମଦା ନଦୀ ସଂଯୋଗୀକରଣ ଯୋଜନାକୁ ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର