ମୋଦିଙ୍କ ପାଇଁ ନିର୍ଣ୍ଣାୟକ ହେବ ଗୁଜରାଟ ନିର୍ବାଚନ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବିଜେପିକୁ ୧୨ଟି ରାଜ୍ୟରେ ବିଜୟ ମିଳିଥିବା ବେଳେ ଏବେ ସବୁଠାରୁ ବଡ଼ ପରୀକ୍ଷା ଗୁଜରାଟ ବିଧାନସଭା ନିର୍ବାଚନରେ ହେବ। ଏହି ନିର୍ବାଚନ କେବଳ ଗୁଜରାଟ ମଡେଲର ଭାଗ୍ୟ ନିର୍ଦ୍ଧାରଣ କରିବ ନାହିଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୀତି ସଂକ୍ରାନ୍ତ ନିଷ୍ପତ୍ତିଗୁଡ଼ିକର ଯଥାର୍ଥତା ନେଇ ମଧ୍ୟ ନିର୍ଣ୍ଣାୟକ ହେବ। ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବିଜେପିର ରାଜନୈତିକ ପତିଆରା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଅସଲ ଅଗ୍ନି ପରୀକ୍ଷା ଡିସେମ୍ବରରେ ହିଁ ହେବ ବୋଲି କୁହାଯାଉଛି । କୌଣସି ରାଜ୍ୟରେ ବହୁମତ ସରକାର ଥାଇ ସେଠାରେ ନିର୍ବାଚନ ଳଢ଼ିବା ୨୦୧୪ ପରେ ବିଜେପି ପାଇଁ ପ୍ରଥମ। ଏଠାରେ ବିଜେପି କୌଣସି ସହଯୋଗୀଙ୍କ ବିନା ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ଏବେ ବିଜେପି ବିରୋଧରେ ରାଜ୍ୟର ଦଳିତ, ପଟିଦାର ଏବଂ ଓବିସି ନେତାଙ୍କୁ ନେଇ ଚକ୍ରବ୍ୟୁହ ତିଆରି କରୁଛି। ଉଭୟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଷ୍ଠା ଏହି ନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଥିବାରୁ ସମଗ୍ର ଦେଶର ନଜର ଏହା ଉପରେ ରହିଛି ।

୨୦୧୪ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟାରେ ବିଜେପି ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ, ତେଲେଙ୍ଗାନା, ଜମ୍ମୁ କଶ୍ମୀର, ମହାରାଷ୍ଟ୍ର, ବିହାର, ଦିଲ୍ଲୀ, ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଗୋଆ, ମଣିପୁର, ପଂଜାବ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ ଲଢ଼ିଛି। ବିଜେପି ହରିୟାଣା, ଆସାମ ଏବଂ ଉତ୍ତରାଖଣ୍ଡରେ ବିରୋଧୀ ଦଳରେ ରହି ନିର୍ବାଚନ ଲଢ଼ିଥିବା ବେଳେ ସେଠାରେ ନିଜ ଦମ୍‌ରେ ସରକାର ଗଠନ କରିଛି। ଆନ୍ଧ୍ର ପ୍ରଦେଶ, ସିକିମ, ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ବିହାର, ଗୋଆ, ମଣିପୁର ଏବଂ ଉତ୍ତର ପ୍ରଦେଶରେ ବିଜେପି ନେତୃତ୍ୱରେ ଏନ୍‌ଡିଏ ସରକାର ଚାଲିଛି। ନିର୍ବାଚନ ହୋଇଥିବା ରାଜ୍ୟଗୁଡ଼ିକରୁ ୧୪ଟି ରାଜ୍ୟରେ କଂଗ୍ରେସ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲା। ଏହି ବିଧାନସଭା ନିର୍ବାଚନଗୁଡ଼ିକରେ ପଂଜାବକୁ ବାଦଦେଲେ ଅନ୍ୟ ସବୁଠି କଂଗ୍ରେସର ପ୍ରଦର୍ଶନ ଖରାପ ଥିଲା। ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବିହାର ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଦଳ ପାଇଁ ବଡ଼ ଝଟ୍‌୍‌କା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ବିହାରରେ ସମୀକରଣ ବଦଳି ଯାଇଥିଲା ଏବଂ ନୀତୀଶ କୁମାର ଆରଜେଡି ଏବଂ କଂଗ୍ରେସକୁ ପରିତ୍ୟାଗ କରି ଏନ୍‌ଡିଏରେ ପୁଣି ସାମିଲ ହୋଇଥିଲେ ଏବଂ ସେଠାରେ ବିଜେପି କ୍ଷମତାକୁ ଫେରିଛି।

୧୯୯୫ ପରଠାରୁ ଗୁଜରାଟ ବିଧାନସଭା ନିର୍ବାଚନରେ ଲଗାତାର ବିଜୟ ହାସଲ କରିଆସୁଥିବା ବିଜେପି ଯଦି ଏଥର ପରାଜିତ ହୁଏ ତା’ହେଲେ ଏହା ବିରୋଧୀ ଦଳଗୁଡ଼ିକର ମନୋବଳ ବଢ଼ାଇ ଦେବ ଏବଂ ମୋଦି ବିରୋଧୀ ଅଭିଯାନ ବ୍ୟାପକ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିରେ ଯୋଗଦେବା ପରେ ବିରୋଧୀଙ୍କୁ ଯେଉଁ ପ୍ରଚଣ୍ଡ ଝଟ୍‌୍‌କା ମିଳିଥିଲା ତାହା ଗୁଜରାଟ ବିଜୟ ହିଁ ଭରଣା କରିପାରିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର