ଜ୍ଞାନବାପି ମାମଲା: ବାରାଣସୀ କୋର୍ଟର ଶୁଣାଣି ରୋକିବାକୁ ମନାକଲେ ସୁପ୍ରିମ୍‌କୋର୍ଟ, କହିଲେ ହାଇକୋର୍ଟ ଯାଇପାର

ନୂଆଦିଲ୍ଲୀ: ବାରାଣସୀ କୋର୍ଟରେ ଜ୍ଞାନବାପି ମାମଲାର ଶୁଣାଣି ବନ୍ଦ ଦାବି କରି ସୁପ୍ରି‌ମ୍‌କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଣେ ଓକିଲ ଦାବି କରିଥିଲେ ଯେ ୯୦ ଦଶକରେ ସୁପ୍ରିମ୍‌କୋର୍ଟ କୁଆଡ଼େ ମନ୍ଦିର ଓ ମସଜିଦର ଯଥାସ୍ଥିତି ବଜାୟ ରଖିବା ପାଇଁ କହିଥିଲେ। ସୁତରାଂ ବର୍ତ୍ତମାନ ହେଉଥିବା ଶୁଣାଣି ସୁପ୍ରିମ୍‌କୋର୍ଟଙ୍କ ସେହି ଆଦେଶନାମାର ବିରୁଦ୍ଧାଚରଣ କରୁଛି। ତେବେ ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରିଦେବା ସହ କହିଛନ୍ତି ଯେ ଆବେଦନକାରୀ ଚାହିଲେ ହାଇକୋର୍ଟରେ ପକ୍ଷ ରଖିପାରନ୍ତି।

ଆବେଦନକାରୀ ଦର୍ଶାଇଥିଲେ ଯେ ୧୯୯୩, ୧୯୯୫ ଓ ୧୯୯୭ରେ ସୁପ୍ରିମ୍‌କୋର୍ଟ କାଶୀ ଓ ମଥୁରା ଉପରେ ତିନିଟି ଆଦେଶନାମା ଦେଇଥିଲେ। ସେହି ଆଦେଶନାମାରେ ଦୁଇଟି ଜାଗାରେ ବର୍ତ୍ତମାନ ମନ୍ଦିର ଓ ମସଜିଦର ଯଥାସ୍ଥିତି ବଜାୟ ରଖିବାକୁ କୁହାଯାଇଛି। ତେଣୁ ଏହି ପରିପେକ୍ଷୀରେ ବାରାଣସୀ ଜଜ୍ କୋର୍ଟରେ ଜ୍ଞାନବାପି ମାମଲାର ଶୁଣାଣି ବନ୍ଦ ହେବା ଉଚିତ। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ହିମା କୋହଲିଙ୍କ ଖଣ୍ଡପୀଠ କହିଲେ ଯେ, ଶୁଣାଣି ନିମ୍ନ ଅଦାଲତରେ ଚାଲିଛି। ଏହାକୁ ନେଇ ଯେତେ ଆବେଦନ ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟକୁ ଆସିଥିଲା, ସେ ସମସ୍ତଙ୍କୁ ନିମ୍ନ ଅଦାଲତ ବା ହାଇକୋର୍ଟକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ତେଣୁ ଏହି ମାମଲାର ମଧ୍ୟ ସିଧା ଶୁଣାଣି ସୁପ୍ରିମ୍‌କୋର୍ଟରେ ହେବ ନାହିଁ। ଯଦି ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ଉପରେ ଆବେଦନକାରୀଙ୍କର ଆପତ୍ତି ଅଛି ତା’ହେଲେ ସେମାନେ ଆହ୍ଲାବାଦ ହାଇକୋର୍ଟ ଯାଇପାରିବେ।

ସମ୍ବନ୍ଧିତ ଖବର