ଘୃଣା ଭାଷଣ ମାମଲା: ହିମାଚଳ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ, ଉତ୍ତରାଖଣ୍ଡକୁ ଚେତାବନୀ

ନୂଆଦିଲ୍ଲୀ: ନିକଟରେ ହିମାଚଳପ୍ରଦେଶରେ ଅନୁଷ୍ଠିତ ‘ଧର୍ମ ସଂସଦ’ରେ ଦିଆଯାଇଥିବା ଘୃଣା ଭାଷଣ ଉପରେ ସୁପ୍ରିମ୍‌କୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡର ରୁରକିଠାରେ ମଧ୍ୟ ଅନୁରୂପ ସମାବେଶର ଆୟୋଜନ କରାଯାଉଥିବାରୁ ସେଠାରେ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯେପରି ଦିଆ ନ ଯାଏ ସେଥିପ୍ରତି ସତର୍କ ରହିବାକୁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି। ଯଦି ଘୃଣା ଭାଷଣକୁ ବନ୍ଦ କରା ନ ଯାଏ, ତେବେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ବୁଧବାର ଅନୁଷ୍ଠିତ ହେବାକୁ ଥିବା ଧରମ ସଂସଦ କାର୍ଯ୍ୟକ୍ରମରେ ଘୃଣା ଭାଷଣକୁ ବନ୍ଦ କରିବା ପାଇଁ ରାଜ୍ୟ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେବା ଏବଂ ଏଥିପାଇଁ ସୁପ୍ରିମ୍‌କୋର୍ଟଙ୍କ ମାର୍ଗଦର୍ଶିକା ଅନୁସରଣ କରିବା ଉଚିତ। ସୂଚନାଯୋଗ୍ୟ ବିଜେପି-ଶାସିତ ଉତ୍ତରାଖଣ୍ଡର ହରିଦ୍ବାରଠାରେ ଗତବର୍ଷ ଡିସେମ୍ବର ମାସରେ ଏକ ତିନିଦିନିଆ ଧାର୍ମ ସଂସଦ (ଧାର୍ମିକ ସମ୍ମିଳନୀ)ରେ କିଛି ଧର୍ମଗୁରୁ ମୁସଲମାନଙ୍କ ବିରୋଧରେ ଘୃଣା ବ୍ୟଞ୍ଜକ ଭାଷଣ ଦେଇଥିଲେ। ଚଳିତ ମାସର ପ୍ରଥମ ଭାଗରେ ମଧ୍ୟ ହିମାଚଳପ୍ରଦେଶର ଉନାଠାରେ ଏକ ଧାର୍ମିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବ ଘୃଣା ଭାଷଣ ପାଇଁ ଗିରଫ ହୋଇ ଜାମିନରେ ଆସିଥିବା ଯତି ନରସିଂହାନନ୍ଦ ପୁନଶ୍ଚ ଅନୁରୂପ ଭାଷଣ ଦେଇ ତାଙ୍କର ଜାମିନ ସର୍ତ୍ତାବଳୀର ଉଲ୍ଲଂଘନ କରିଥିଲେ।

ସମ୍ବନ୍ଧିତ ଖବର