ଦାରିଦ୍ର୍ୟ ସମ୍ପର୍କରେ ବହିରୁ ନୁହେଁ, ରେଳ ଷ୍ଟେସନରେ ଚା’ ବିକି ଜାଣିଛି: ମୋଦୀ

ନୂଆଦିଲ୍ଲୀ : ସାଉଦି ଆରବର ରିୟାଦରେ ଆୟୋଜିତ ‘ଫ୍ୟୁଚର ଇନ୍‌ଭେଷ୍ଟମେଣ୍ଟ ଇନିସିଏଟିଭ’ (ଏଫ୍‌ଆଇଆଇ) ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାରିଦ୍ର୍ୟ ସମ୍ପର୍କରେ ହାସଲ କରିଥିବା ନିଜ ଅଭିଜ୍ଞତା ସମ୍ପର୍କରେ କହିଛନ୍ତି। ସମ୍ମିଳନୀରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ସେ ରେଳ ଷ୍ଟେସନରେ ଚା ବିକିଛନ୍ତି ଏବଂ ସେହିଠାରୁ ହିଁ ଦାରିଦ୍ର୍ୟର ପାଠ ପଢ଼ିଛନ୍ତି। ସେ କେଉଁ ପୁସ୍ତକରୁ ଦାରିଦ୍ର୍ୟ ସମ୍ପର୍କରେ ପା‌ଠ ପଢ଼ି ଜ୍ଞାନ ହାସଲ କରିନାହାନ୍ତି। ସେ କୌଣସି ରାଜନୈତିକ ପରିବାରରୁ ଆସିନାହାନ୍ତି। ରେଳ ଷ୍ଟେସନରେ ଚା ବିକି ଜୀବନ ସହ ସଂଘର୍ଷ କରି ଆଜି ପ୍ରଧାନମନ୍ତ୍ରୀ ଆସନରେ ଅଛନ୍ତି। ଏଣୁ ଦାରିଦ୍ର୍ୟକୁ ନେଇ ତାଙ୍କର ଦୃଷ୍ଟିଭଙ୍ଗୀ ସ୍ବତନ୍ତ୍ର ବୋଲି ମୋଦୀ କହିଛନ୍ତି। ଗରିବ ଲୋକଙ୍କୁ ସଶକ୍ତ କରିପାରିଲେ ଦେଶର ଅର୍ଥନୀତିର ବିକାଶ ଘଟିପାରିବ। ଯେତେବେଳେ ଜଣେ ଗରିବ ସଂଘର୍ଷ କରି ନିଜେ ହିଁ ନିଜ ଦାରିଦ୍ର୍ୟକୁ ଦୂର କରିପାରିବ, ତା’ଠୁ ବଡ଼ ଆତ୍ମସନ୍ତୋ‌ଷ ଆଉ କ’ଣ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତରେ ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଗରିବ ଲୋକଙ୍କ ପାଇଁ ‌ଶୌଚାଳୟ ନିର୍ମାଣ କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବର ରାଜା ସଲମନ ବିନ୍‌ ଅବ୍‌ଦୁଲାଜିଜ୍‌ଙ୍କୁ ସାକ୍ଷାତ କରିଥିଲେ। ଉଭୟ ନେତା ମିଳିତ ଭାବେ ଆତଙ୍କବାଦର ଦୃଢ ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର