ଦିଲ୍ଲୀରେ ପ୍ରବଳ ବର୍ଷା, ଧସିଗଲା ୪ ମହଲା କୋଠା

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଫଳରେ ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଫଳରେ ଗୁରୁଗାଓଁରେ ଏକ ଚାରି ମହଲା ବିଶିଷ୍ଟ କୋଠାଘର ଧସି ପଡ଼ିଛି। ଗୁରୁଗାଓଁର ସେକ୍ଟର ୪୬ରେ ଥିବା ଏହି କୋଠାଘରଟି ଧସି ପଡ଼ିବା ପରେ ପ୍ରଶାସନିକ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଘରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଲଗାଣ ବର୍ଷା କାରଣରୁ ଗୁରୁଗାଓଁର ବ୍ୟସ୍ତବହୁଳ ଇଫ୍‌କୋ ଛକ ନିକଟରେ ଥିବା ଏକ ପ୍ରମୁଖ ରାସ୍ତା ମଧ୍ୟ ଦବି ଯାଇଛି। ତେବେ, ଏଥିରେ କେହି ଆହତ ହୋଇନାହାଁନ୍ତି। ରାସ୍ତାକୁ ବନ୍ଦ କରି ଦିଆଯାଇଛି। ରାସ୍ତାରେ ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଟ୍ରାଫିକ୍‌ ଜାମ୍‌ ଦେଖିବାକୁ ମିଳିଛି। ଉପର ମାର୍କେଟ ଗଲ୍‌ଫ କୋର୍ସ ରୋଡରେ ଥିବା ଅଣ୍ଡରପାସ୍‌ ନିକଟରେ ଯାନବାହନ ଚଳାଚଳ କରିଥିବା ବେଳେ କେତେକ ଅଞ୍ଚଳରେ ଅଣ୍ଟା ଉଚ୍ଚର ଜଳପ୍ରବାହ ହୋଇଛି। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଗୁରୁଗାଓଁ, ଫରିଦାବାଦ, ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡାରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟ ୨୩ ପର୍ଯ୍ୟନ୍ତ ରାଜଧାନୀରେ ଏହି ଲଗାଣ ବର୍ଷା ଜାରି ରହିବ। ତେଣୁ ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର