ଚୀନର ଆକ୍ସିନ ଅଂଚଳରେ କରୋନା, ୪ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଲା ପ୍ରଶାସନ

ବେଜିଂ : ଚୀନ ରାଜଧାନୀ ବେଜିଂ ନିକଟରେ ଥିବା ହେବେଇ ପ୍ରଦେଶରେ କରୋନା ସଂକ୍ରମଣ ଦେଖାଯିବାରୁ ଚୀନ ସରକାର ସଂପୃକ୍ତ ଅଞ୍ଚଳରେ ଲକଡାଉନ ଜାରି କରିଛନ୍ତି । ଚୀନରେ ପୁଣି ଥରେ କରୋନା ମହାମାରୀର ୨ୟ ଲହରୀ ଦେଖାଯିବାର ଆଶଙ୍କା ଦିନକୁ ଦିନ ବଢୁଥିବାରୁ ଚୀନ ସରକାର କଠୋର ଲକଡାଉନ ଲାଗୁ କରୁଛନ୍ତି ।

ବିବିସିର ରିପୋର୍ଟ ଅନୁସାରେ ଚୀନ ସରକାର ହେବେଇ ପ୍ରଦେଶର ଆକ୍ସିନ ଅଂଚଳରେ ରହୁଥିବା ପ୍ରାୟ ୪ ଲକ୍ଷ ଲୋକଙ୍କୁ କଠୋର ଲକଡାଉନ ମଧ୍ୟରେ ରଖିଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଲୋକମାନଙ୍କୁ ବାହାରକୁ ଛାଡ଼ୁନାହାନ୍ତି । ତେବେ ଜରୁରୀ ସାମଗ୍ରୀ ଖରିଦ କରିବାକୁ ଗୋଟିଏ ପରିବାରର କେବଳ ଜଣକୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାଉଛି । ଡ୍ରୋନ ମାଧ୍ୟମର ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଉଛି ।

ଆକ୍ସିନ ଅଞ୍ଚଳଟି ବେଜିଂ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଗତ ରବିବାରଦିନ ପ୍ରାୟ ୧୮ଟି ନୂଆ ମାମଲା ଚିହ୍ନଟ ହୋଇଛି । କିଛିଦିନ ପୂର୍ବେ ବେଜିଂରେ ସଂକ୍ରମଣ ମାମଲା ଦେଖାଯାଇଥିଲା । ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଚୀନ ସରକାର ଅଳ୍ପ ମାମଲା ହେଲେ ମଧ୍ୟ ତାହାକୁ ବେଶ ଗମ୍ଭୀରତାର ସହ ନେଉଛନ୍ତି । କାରଣ ପୁଣି ଥରେ କରୋନା ମହାମାରୀର ୨ୟ ଲହରୀ ଫେରିଲେ ତାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ଚୀନ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର