ବିଜେପିକୁ କ୍ଷମତାଚ୍ୟୁତ କରି ଦ୍ୱିତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଜୁନିୟର ସୋରେନ୍‌, ଏ ବିଜୟ ରାଜ୍ୟବାସୀଙ୍କର ବୋଲି କହିଲେ ହେମନ୍ତ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ପାଇଁ ସଦ୍ୟ ସମାପ୍ତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ହେବା ପାଇଁ ଆଉ ମାତ୍ର ଅଳ୍ପ କିଛି ଘଣ୍ଟାର ସମୟ ବାକି ରହିଛି। ତେବେ, ଗଣତିର ‘ଟ୍ରେଣ୍ଡ’ରୁ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ ସରକାର ଗଠନ କରିବା ପ୍ରାୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। କାରଣ, ୮୧ଟି ବିଧାନସଭା ଆସନ ମଧ୍ୟରୁ ୪୬ଟି ଆସନରେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟର ପ୍ରାର୍ଥୀମାନେ ବହୁ ଆଗରେ ରହିବା ସହ ସେମାନଙ୍କର ବିଜୟକୁ ଏକ ପ୍ରକାର ନିଶ୍ଚିତ କରି ନେଇଛନ୍ତି।

ଏ ପରିସ୍ଥିତିରେ ଜେଏମ୍‌ଏମ୍‌-କଂଗ୍ରେସ- ଆର୍‌ଜେଡି ମେଣ୍ଟର ସର୍ବସମ୍ମତ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍‌ ଦେଶର ଆଦିବାସୀ ବହୁଳ ରାଜ୍ୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ପଦଭାର ଗ୍ରହଣ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ହେମନ୍ତ ସୋରେନ୍‌ ହେବେ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ।

News18

ନିଜ ବିଜୟର ଶ୍ରେୟ ହେମନ୍ତ ରାଜ୍ୟର ମତଦାତାମାନଙ୍କୁ ଦେବା ସହ ମେଣ୍ଟର ଅନ୍ୟ ଦୁଇ ସହଯୋଗୀ ଦଳର ନେତୃବୃନ୍ଦ ତାଙ୍କର ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ନିଜ କୃତଜ୍ଞତା ଜଣାଇଛନ୍ତି। ଏଥିସହ ନିର୍ବାଚନ କାଳରେ ମେଣ୍ଟ ପକ୍ଷରୁ ରାଜ୍ୟବାସୀଙ୍କୁ ପ୍ରଦାନ କରା ଯାଇଥିବା ସବୁ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି କହିଛନ୍ତି ହେମନ୍ତ।

ସଂକ୍ଷେପରେ ହେମନ୍ତ ସୋରେନ୍‌

୧୦ ଅଗଷ୍ଟ ୧୯୭୫ରେ ଜନ୍ମ ଗ୍ରହଣ କରିଥିବା ହେମନ୍ତ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ସର୍ବମାନ୍ୟ ନେତା ଶିବୁ ସୋରେନ୍‌ଙ୍କର ପୁତ୍ର। ୨୦୦୫ରେ ହେମନ୍ତ ରାଜନୀତିରେ ପ୍ରବେଶ କରିବା ସହ ଦୁମ୍‌କା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ, ନିଜର ପ୍ରଥମ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ହେମନ୍ତ। ସେ ତାଙ୍କର ବଡ଼ ଭାଇ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ରାଜନୀତି ମଇଦାନକୁ ଓହ୍ଲଇଥିଲେ। ଦୁର୍ଗା ଥିଲେ ଶିବୁ ସୋରେନଙ୍କର ଜ୍ୟେଷ୍ଠପୁତ୍ର ଏବଂ ଶିବୁ ସୋରେନ୍‌ଙ୍କର ରାଜନୈତିକ ଉତ୍ତରାଧିକାରୀ। ହେଲେ, ୨୦୦୯ରେ ଦୁର୍ଗାଙ୍କର ପରଲୋକ ହୋଇଯିବା ପରେ ସବୁକିଛି ଓଲଟପାଲଟ ହୋଇଗଲା ଓ ଜେଏମ୍‌ଏମ୍‌ର ଆଗଧାଡ଼ିର ନେତା ପାଲଟିଗଲେ ହେମନ୍ତ।

ଏହାପର ଠାରୁ ଆଉ ପଛକୁ ଫେରି ଦେଖିନାହାନ୍ତି ହେମନ୍ତ। ସ୍ୱଳ୍ପକାଳ ପାଇଁ ସଂସଦର ରାଜ୍ୟସଭାରେ ସାଂସଦ ଭାବେ ପ୍ରତିନିଧିତ୍ୱ କରିବା ପରେ ୨୦୧୦, ସେପ୍ଟେମ୍ବରରେ ହେମନ୍ତ ହୁଅନ୍ତି ଝାଡ଼ଖଣ୍ଡର ଉପ- ମୁଖ୍ୟମନ୍ତ୍ରୀ। ଊନ୍ନବିଂଶ ଶତାଦ୍ଦୀର ବହୁଚର୍ଚ୍ଚିତ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଥିବା ହେମନ୍ତ ପରବର୍ତ୍ତୀ ସମୟରେ ୨୦୧୩ରେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟର ନେତାଭାବେ ପ୍ରଥମ ଥର ପାଇଁ ରାଜ୍ୟର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ ପଦଭାର ସମ୍ଭାଳନ୍ତି।

Hindustan

ଏବେ ୨୦୧୯ରେ ଆଉ ଥରେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟର ସର୍ବସମ୍ମତ ନେତା ଭାବେ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବାକୁ ଯାଉଥିବା ହେମନ୍ତ ମାତ୍ର ଇଣ୍ଟରମିଡିଏଟ୍‌ ଶ୍ରେଣୀ ପାସ୍‌ କରିଛନ୍ତି। କଳ୍ପନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ହେମନ୍ତଙ୍କର ଦୁଇ ପୁତ୍ର ଅଛନ୍ତି। ବସନ୍ତ ନାମରେ ତାଙ୍କର ଜଣେ ସାନଭାଇ ଓ ଅଞ୍ଜଳି ନାମରେ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି। ହେମନ୍ତଙ୍କ ପିତା ଶିବୁ ସୋରେନ୍‌ ତିନି ତିନି ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ହେମନ୍ତଙ୍କ ବଡ଼ ଭାଇ ସ୍ୱର୍ଗତ ଦୁର୍ଗା ସୋରେନ୍‌ ଜାମା ବିଧାନସଭା ଆସନରୁ ୧୯୯୫ରୁ ୨୦୦୫ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ଏବେ ତାଙ୍କର ପରଲୋକ ପରେ ଏହି ଆସନରୁ ତାଙ୍କ ପତ୍ନୀ ସୀତା ସୋରେନ୍‌ ବିଧାୟକ ରହିଛନ୍ତି। ହେମନ୍ତଙ୍କ ସାନ ଭାଇ ବସନ୍ତ ଏବେ ଜେଏମ୍‌ଏମ୍‌ର ଯୁବଶାଖା ଝାଡ଼ଖଣ୍ଡ ଯୁବ ମୋର୍ଚ୍ଚାର ସଭାପତି ଅଛନ୍ତି।

ସମ୍ବନ୍ଧିତ ଖବର