ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି

ଲକ୍ଷ୍ନୌ : ଲକ୍ଷ୍ନୌରୁ ଦୁଇଜଣ ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଲକ୍ଷ୍ନୌ ସମେତ ପଶ୍ଚିମ ଉତ୍ତରପ୍ରଦେଶର ଉନ୍ନାଓ, ହାର୍ଦୋଇ, ବାରାବାଙ୍କି, ସୀତାପୁର, ରାୟବରେଲିରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

ଉତ୍ତରପ୍ରଦେଶର ଆତଙ୍କ ନିରୋଧୀ ସ୍କ୍ବାର୍ଡ ବା ଏଟିଏସ ପକ୍ଷରୁ ଆଜି ଲକ୍ଷ୍ନୌରେ ଅଲକାଇଦାର ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରାଯାଇଛି । ଗୁଇନ୍ଦା ରିପୋର୍ଟ ପାଇଁ ଏଟିଏସ ଦୁଇଟି ସ୍ଥାନରେ ଚଢଉ କରିଥିଲା । ଏହି ଚଢଉ ବେଳେ ଏଟିଏସ ପକ୍ଷରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ସହ ସଂପୃକ୍ତ ଅନସର-ଗଜଓ୍ବାଟ-ଉଲ-ହିନ୍ଦର ଦୁଇ ସଂଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁ ହେଉଛି ମସିରୁଦ୍ଦିନ ଓ ମିନହାଜ୍ । ଏହି ଦୁଇ ସ୍ଥାନରୁ ବିସ୍ଫୋରକ, ବିଦେଶୀ ପିସ୍ତଲ, ପ୍ରେସର କୁକର ବୋମା ଜବତ ହୋଇଛି । ତେବେ ଘଟଣାସ୍ଥଳରୁ ଆଉ ୫ ଜଣ ସଂଦିଗ୍ଧ ଆତଙ୍କବାଦୀ ଫେରାର ହେବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଧରିବାକୁ ଉତ୍ତରପ୍ରଦେଶ ପୁଲିସ ଏକ ବଡ଼ଧରଣର ଅଭିଯାନ ଚଳାଇଛି ।

ସମ୍ବନ୍ଧିତ ଖବର