ଫୋନି ମହାବାତ୍ୟା : ଆଡଭାଇଜରି ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ, ରାଜ୍ୟ ସରକାର ଚାହିଁଲେ ଆଗୁଆ ରିଲିଜ ହେବ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ପ୍ରଥମ କିସ୍ତି

ନୂଆଦିଲ୍ଲୀ : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ଗତିପଥ ଧୀରେ ଧୀରେ ଓଡ଼ିଶା ଆଡକୁ ମୁହାଁଇବାରେ ଲାଗିଛି । ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଆଜି ନୂଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର, ପୁଡୁଚେରୀ, ତାମିଲନାଡୁ,ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପର ମୁଖ୍ୟ ଶାସନ ସଚିବ ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରାଯାଇଛି ।

ବୈଠକ ପରେ ରାଜ୍ୟ ସରକାରଙ୍କମାନଙ୍କୁ ସତର୍କ ରହି ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଏହା ସହିତ ନୌସେନା ଓ କୋଷ୍ଟଗାର୍ଡକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରଖି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରି କୁହାଯାଇଛି । ଆହୁରି ମଧ୍ୟ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କ ଅନୁରୋଧ ମିଳିଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଆରଏଫ)ର ପ୍ରଥମ କିସ୍ତି ଆଗୁଆ ଯୋଗାଇଦିଆଯିବ ବୋଲି ଗୃହମନ୍ତ୍ରାଳୟ ଆଶ୍ୱାସନା ଦେଇଛି । ଅନ୍ୟପକ୍ଷରେ ସ୍ଥିତିର ନିୟନ୍ତ୍ରଣ ପାଇଁ ଗୃହମନ୍ତ୍ରାଳୟ ରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ସମ୍ବନ୍ଧିତ ଖବର